ଆଉ ମାଗଣା ନୁହେଁ ସୋସିଆଲ ମିଡିଆ ‘ଏକ୍ସ’ ବ୍ୟବହାର

‘ଏକ୍ସ’ ବ୍ୟବହାର କଲେ ଗଣିବାକୁ ପଡ଼ିବ ଟଙ୍କା

ସମସ୍ତ ‘ଏକ୍ସ’ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ସୂଚନା । ଆଉ ମାଗଣା ନୁହେଁ ଏକ୍ସ । ଏବେ ଠାରୁ ଏକ ସ୍ୱଳ୍ପ ମାସିକ ଦେୟ ଏକ୍ସ ଆପଣଙ୍କଠାରୁ ଆଦାୟ କରିବାକୁ ଯାଉଛି । ଫଳରେ, ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଖୁବ ଶୀଘ୍ର ଆଉ କୌଣସି ପ୍ରକାରର ମାଗଣା ବ୍ୟବହାରର ସୁଯୋଗ ଦେବନାହିଁ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଏକ ସିଧା ପ୍ରସାରିତ ବାର୍ତ୍ତାଳାପରେ ଏକ୍ସ ମାଲିକ ମସ୍କ ସୂଚନା ଦେଇ କହିଛନ୍ତି ଯେ ଏହି ସାମାଜିକ ନେଟଓ୍ଵାର୍କ ପ୍ଲାଟଫର୍ମ ଆଉ ମାଗଣା ବା ଦେୟମୁକ୍ତ ସାଇଟ୍‌ ହୋଇପାରିବ ନାହିଁ। ସୋମବାର ମସ୍କ କହିଛନ୍ତି, ‘ବଟ’ର ମୁକାବିଲା କରିବା ପାଇଁ ଏହା ହିଁ ଏକମାତ୍ର ଉପାୟ । ‘ଏକ୍ସ’ରେ ସମସ୍ତଙ୍କୁ ଦେୟଯୁକ୍ତ କରିବାର ଚିନ୍ତାଧାରା ନୂଆ ନୁହେଁ। କାରଣ ଗତବର୍ଷ ମସ୍କ ଏହି ସୂଚନା ଦେଇଥିଲେ। କମ୍ପାନି ବର୍ତ୍ତମାନ ଏହାର ଏକ୍ସ ପ୍ରିମିୟମ ଉପଭୋକ୍ତାଙ୍କ ଠାରୁ ମାସକ ୮ ଡଲାର ଆଦାୟ କରୁଛି। ଯାହା ସେମାନଙ୍କୁ ସେମାନଙ୍କ ପୋଷ୍ଟଗୁଡିକୁ ସମ୍ପାଦନ କରିବା, କମ୍‌ ବିଜ୍ଞାପନ ଦେଖିବା, ଲମ୍ବା ପୋଷ୍ଟ ଲେଖିବା ଏବଂ ସର୍ଚ୍ଚ, ବାର୍ତ୍ତାଳାପରେ ପ୍ରାଥମିକତା ମାନ୍ୟତା ଦେବାର କ୍ଷମତା ପ୍ରଦାନ କରୁଛି । ମସ୍କ କହିଛନ୍ତି ଯେ ‘ଏକ୍ସ’ରେ ଏବେ ୫୫୦ ନିୟୁତ ମାସିକ ଉପଭୋକ୍ତା, ପ୍ରତିଦିନ ୧୦୦-୨୦୦ ନିୟୁତ ପୋଷ୍ଟ କରୁଛନ୍ତି । ବର୍ତ୍ତମାନ ଏହାର କେତେ ପେଡ୍‌ ସବ୍‌ସ୍କ୍ରାଇବର ଅଛନ୍ତି ତାହା ମସ୍କ ପ୍ରକାଶ କରି ନାହାନ୍ତି ।