ରାତି ଅଧରେ ଭାଙ୍ଗିଲା ସଂସଦ

ପାକିସ୍ତାନ ରାଜନୀତିରେ ହାଇଡ୍ରାମା

ପାକିସ୍ତାନ ରଜନୀତିରେ ହଇଚଇ । ରାତି ଅଧରେ ପାକିସ୍ତାନରେ ଦେଖିବାକୁ ମିଳିଛି ହାଇଡ୍ରାମା। ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଜେଲ୍‌ ରେ ଥିବା ବେଳେ ବୁଧବାର ପାକିସ୍ତାନ ସଂସଦକୁ ଭାଙ୍ଗି ଦିଆଯାଇଛି। ସଂସଦ ଭଙ୍ଗ ହେବାର ୩ ମାସ ମଧ୍ୟରେ ପୁଣି ଥରେ ନିର୍ବାଚନ ହେବ । ତେବେ ଏବେ ଜେଲ୍‌ରେ ବନ୍ଦୀ ଥିବା ୭୦ ବର୍ଷ ବୟସ୍କ ଇମ୍ରାନ ଖାନ ପୁଣି ଥରେ ନିର୍ବାଚନ ଲଢ଼ି ପାରିବେ ନା ନାହିଁ ତାହା ଉପରେ ସମସ୍ତଙ୍କ ନଜର। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫଙ୍କ ପରାମର୍ଶ ଅନୁଯାୟୀ ରାଷ୍ଟ୍ରପତି ଆରିଫ ଅଲ୍ଲୀ ବୁଧବାର ବିଳମ୍ବିତ ରାତିରେ ସଂସଦକୁ ଭଙ୍ଗ କରିଛନ୍ତି। ସଂସଦର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲି ୫ ବର୍ଷ କାର୍ଯ୍ୟକାଳ ପୂରଣ କରିବାର ୩ ଦିନ ପୂର୍ବରୁ ଭଙ୍ଗା ଯାଇଛି। ଏଥିସହ ଶାହବାଜ ଶରିଫଙ୍କ ଶାସନ କାଳ ମଧ୍ୟ ଶେଷ ହୋଇଛି। ସେ ଗତକାଲି ଶେଷଥର ସଂସଦରେ ନିଜ ଭାଷଣ ରଖିଥିଲେ।ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ସଂସଦ ଭଙ୍ଗ କରିବାକୁ ଅନୁରୋଧ କରିଥିଲେ। ପାକିସ୍ତାନ ସମ୍ବିଧାନ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ସୁପାରିସ୍‌ର ୪୮ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତି ସଂସଦ ଭଙ୍ଗ ନ କଲେ ତାହା ଆପେ ଆପେ ଭାଙ୍ଗି ଯାଇଥାଏ । ଆସନ୍ତା ୩ ଦିନ ମଧ୍ୟରେ ଦେଶର କେୟାରଟେକର ପ୍ରଧାନମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ।