ବଢ଼ିଲା ପାକିସ୍ତାନ କ୍ରିକେଟରଙ୍କ ଦରମା
ଆଗକୁ ମାଲାମାଲ ହେବେ ପାକିସ୍ତାନ କ୍ରିକେଟ ଟିମର ଖେଳାଳି। କାରଣ ପାକିସ୍ତାନ କ୍ରିକେଟ ବୋର୍ଡ ଖେଳାଳିମାନଙ୍କ ଦରମା ରେକର୍ଡ ପରିମାଣର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼ିବ ବୋଲି ପିସିବି ଆଶା ମଧ୍ୟ କରିଛି। ପାକିସ୍ତାନର ଖେଳାଳିମାନେ ବିଦେଶର ଖେଳା ଯାଉଥିବା ଟି-୨୦ ଲିଗ୍ରେ ଭାଗ ନେଉଛନ୍ତି। ସେମାନଙ୍କୁ ପିସିବି ଉପଯୁକ୍ତ ଟଙ୍କା ଦେଇ ପାରୁ ନଥିବାରୁ ସେମାନେ ବାଧ୍ୟ ହୋଇ ଲିଗ୍ ମ୍ୟାଚ୍ ଖେଳୁଛନ୍ତି। ଏହା ଉପରେ ଅଙ୍କୁଶ ଲଗାଇବା ଓ ଖେଳାଳିଙ୍କୁ ଆଶା ଅନୁଯାୟୀ ଟଙ୍କା ଦେବାକୁ ପିସିବି ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ସେ ଯାହା ବି ହେଉ, ପିସିବି କରିଥିବା ଯୋଜନା ଅନୁଯାୟୀ ଏଣିକି ପାକିସ୍ତାନ ଖେଳାଳିମାନେ ବିପୁଳ ପରିମାଣର ଦରମା ପାଇବେ। ସବୁ ଫର୍ମାଟରେ ପାକିସ୍ତାନର ପ୍ରତିନିଧିତ୍ୱ କରୁଥିବା ଅଧିନାୟକ ବାବର ଆଜମ, ମହମ୍ମଦ ରିଜୱାନ ଓ ଶାହୀନ ଶାହ ଆଫ୍ରିଦିଙ୍କୁ ପିସିବି ଏ ଶ୍ରେଣୀରେ ରଖିବ। ଏମାନେ ମାସକୁ ୪.୫ ମିଲିୟନ ପାକିସ୍ତାନ ମୁଦ୍ରା ବା ୧୩.୨୨ ଲକ୍ଷ ଟଙ୍କା ପାଇବେ। ପୂର୍ବ କଣ୍ଟ୍ରାକ୍ଟର ଟଙ୍କା ତୁଳନାରେ ଏହା ୪ ଗୁଣ ଅଧିକ।