ଭୟଙ୍କର ଭୂକମ୍ପରେ ଗଲାଣି ୨୯୦ରୁ ଊର୍ଦ୍ଧ୍ଵ ଜୀବନ !

ଭୂମିକମ୍ପରେ ଛାରଖାର ମରକ୍କୋ !

ମରକ୍କୋରେ ଭୟଙ୍କର ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ପ୍ରାୟ ୬ ଦଶମିକ ୮ ହୋଇଥିବା ବେଳେ ଏହାର ପ୍ରଭାବ ଏତେ ଥିଲା ଯେ ଆଖି ପିଛୁଳାକେ ସବୁ ଛାରଖାର କରିଦେଲା । ଜାତୀୟ ଗଣମାଧ୍ୟମର ସୂଚନା ଅନୁଯାୟୀ ରାତି ପାଖାପାଖି ୧୧ଟା ସମୟରେ ଭୂମିକମ୍ପ ହୋଇଛି । ଭୂମିକମ୍ପରେ ବର୍ତ୍ତମାନ ସୁଦ୍ଧା ୨୯୦ରୁ ଊର୍ଦ୍ଧ୍ଵ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଧ୍ବଂସବଶେଷ ତଳେ ଆହୁରି ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି ।

ଭୂମିକମ୍ପ ଯୋଗୁ ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି । ଭୁମିକମ୍ପର କେନ୍ଦ୍ର ମରୋକୋ ମରାକେଶ ସହରର ୭୦ କିଲୋମିଟର ଦୂରରେ ବୋଲି ଜଣାପଡ଼ିଛି । ଭୂମିକମ୍ପ ଏତେ ଭୟଙ୍କର ଥିଲା ଯେ, ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିଥିଲା । ଲୋକେ ଏଣେତେଣେ ଦୌଡ଼ିବା ଆରମ୍ଭ କରିଥିଲେ । ମରାକେଶରଠାରୁ ପାଖାପାଖି ୩୫୦ କିଲୋମିଟର ଦୂର ରାଜଧାନୀ ରବାତରେ ମଧ୍ୟ ଲୋକେ ଭୂମିକମ୍ପ ଅନୁଭବ କରିଥିଲେ । ଏହା ଏକ ବଡ ଧରଣର ଭୂକମ୍ପ ହୋଇଥିବା ବେଳେ ସାରା ଅଞ୍ଚଳ ପୁରା ଛାରଖାର ହୋଇଥିବା ଦେଖିବାକୁ ମିଳିଛି ।