ଇସ୍ରାଏଲ-ପାଲେଷ୍ଟାଇନ ମଧ୍ୟରେ ଜୋରଦାର ଆକ୍ରମଣ

ରାସ୍ତାରେ ପଡ଼ିଛି କୁଢକୁଢ ଶବ

ଗୋଟିଏ ଯୁଦ୍ଧ ଥମିନଥିବା ବେଳେ ଆଉ ଏକ ଯୁଦ୍ଧ । ବିଶ୍ବ ଇତିହାସରେ ଏଭଳି ଘଟଣା ପ୍ରଥମ । ଗୋଟେ ପଟେ ଋଷ-ୟୁକ୍ରେନ୍ ଯୁଦ୍ଧରେ ପୁର୍ଣ୍ଣଛେଦ ପଡିନଥିବା ବେଳେ ଏବେ ଇସ୍ରାଏଲ ଓ ପାଲେନଷ୍ଟାଇନ୍ ମଧ୍ୟରେ ଥିବା ବିବାଦ ଭିନ୍ନ ରୂପ ନେଇଛି । ହମାସ ଆକ୍ରମଣରେ ଇସ୍ରାଏଲରେ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫୦୦ରେ ପହଞ୍ଚିଛି । ଉଭୟ ପକ୍ଷର ଆହତଙ୍କ ସଂଖ୍ୟା ୩ ହଜାର ଟପିଛି । ସେପଟେ ଗାଜାକୁ ମାଟିରେ ମିଶାଇବା ଲାଗି ଆକ୍ରମଣକୁ ଘମାଘୋଟ କରାଯିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ଯାହୁ । ଇସ୍ରାଏଲର ଆକ୍ରମଣରେ ଗାଜାରେ ୨୩୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ମିଳିଛି । ଶନିବାର ଇସ୍ରାଏଲ ଉପରେ ହମାସ ଜଳ, ସ୍ଥଳ ଓ ଆକାଶ ପଥରୁ ଆକ୍ରମଣ କରିଥିଲା । ଇସ୍ରାଏଲର ଅଭେଦ ସୁରକ୍ଷା ବଳୟକୁ ପାର କରି ହମାସର ଏହି ଆକ୍ରମଣ ସାରା ବିଶ୍ବକୁ ଚକିତ କରିଛି । ହମାସ ଅନେକ ଇସ୍ରାଏଲ ସୈନିକଙ୍କୁ ଧରିଥିବା ଦାବି କରିଛି । ସେପଟେ ସୀମା ଡେଇଁ ହମାସ ଗୋଷ୍ଠୀ ଗଣହତ୍ୟା ଚଳାଇଥିବା ଅଭିଯୋଗ କରିଛି ଇସ୍ରାଏଲ । ଇସ୍ରାଏଲ ନିରାପତ୍ତା ବାହିନୀ ଓ ହମାସର ଶହ ଶହ ସୈନିକ ଗୁଳି ବିନିମୟରେ ଲିପ୍ତ ଥିବା ସୂଚନା ରହିଛି । ହମାସକୁ ସମ୍ପୂର୍ଣ୍ଣ ମୂଳପୋଛ କରାଯିବ ବୋଲି କହିଛନ୍ତି ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରୀ ୟୋଭ ଗାଲାଣ୍ଟ । ଗତକାଲି ଉଗ୍ର ଇସଲାମିକ ସଂଗଠନ ପକ୍ଷରୁ ତେଲ ଆଭିବ, ଜେରୁଜେଲମ ଉପରେ ୫ ହଜାରରୁ ଅଧିକ ରକେଟ ମାଡ କରାଯାଇଥିଲା । ଆଶ୍ଚର୍ଯ୍ୟର କଥା ଏହି ହମଲା ବେଳେ କାମ କରି ନଥିଲା ଇସ୍ରାଏଲର ଡୋମ ଡିଫେନ୍ସ ସିଷ୍ଟମ । ହମାସ ଗାଜାର ସିକ୍ୟୁରିଟି ବ୍ୟାରିୟର ହଟାଇ ସେଠାରେ ବହୁ ଇସ୍ରାଏଲୀ ସହର, ସାମରିକ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିବା ସହ ଲୋକଙ୍କ ଉପରେ ଆଖିବୁଜା ଆକ୍ରମଣ କରିଛନ୍ତି । ଗାଜାର ଅନେକ ସହରରେ ମୃତ ଇସ୍ରାଏଲୀଙ୍କ ଶବ ପଡିଥିବା ସୂଚନା ମିଳିଛି । ହମାସ ନେତା ଓସାମା ହାମଦାନ କହିଛନ୍ତି, ଏହି ଆକ୍ରମଣକୁ ଅଧିକ ଜୋରଦାର କରାଯିବ । ପାଲେଷ୍ଟିନୀୟ ଅଞ୍ଚଳରୁ ଇସ୍ରାଏଲ ବିଦା ହେବା ଯାଏଁ ସଂଘର୍ଷ ଜାରି ରହିବ ।