ପାକିସ୍ତାନରେ ଆତ୍ମଘାତୀ ବିସ୍ଫୋରଣ

ଆତ୍ମଘାତୀ ବିସ୍ଫୋରଣ, ଚୀନର ୫ ନାଗରିକଙ୍କ ମୃତ୍ୟୁ

ପାକିସ୍ତାନର ଖୈବର ପଖତୁନଖ୍ୱା ପ୍ରଦେଶରେ ଆତ୍ମଘାତୀ ବିସ୍ଫୋରଣରେ ଚୀନର ୫ ଜଣ ନାଗରିକଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ସହିତ ଜଣେ ପାକିସ୍ତାନୀ ନାଗରିକଙ୍କ ମୃତ୍ୟୁ ଘଟିଛି। ପ୍ରାଣ ହରାଇଥିବା ଚୀନ ନାଗରିକମାନେ ଇଞ୍ଜିନିୟର ଥିଲେ। ଚୀନର କିଛି ଇଞ୍ଜିନିୟର ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଇସଲାମବାଦରୁ ଦାସୁ ଅଭିମୁଖେ ଯାଉଥିବା ଏକ କନଭୟ ମଧ୍ୟକୁ ହଠାତ୍ ଏକ ବିସ୍ଫୋରକ ବୋଝେଇ ଗାଡ଼ି ମାଡ଼ି ଆସିଥିଲା ଓ କେହି କିଛି ଭାବିବା ପୂର୍ବରୁ ବିସ୍ଫୋରଣ ଘଟିଥିଲା। ଫଳରେ ଚୀନର ୫ ଜଣ ଇଞ୍ଜିନିୟରଙ୍କ ସହିତ ସେମାନଙ୍କୁ ନେଇ ଯାଉଥିବା ଜଣେ ପାକିସ୍ତାନୀ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ତେବେ ଏହି କନଭୟ ଥିବା ଅନ୍ୟ ସଦସ୍ୟମାନେ ସୁରକ୍ଷିତ ଥିବା ସ୍ଥାନୀୟ ପୁଲିସ ପକ୍ଷରୁ କୁହାଯାଇଛି। ପାକିସ୍ତାନ ରାଷ୍ଟ୍ରପତି ଅସିଫ ଅଲି ଜର୍ଦାରୀ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି। ଏହା ସହିତ ମୃତକଙ୍କ ପରିବାରଙ୍କୁ ସେ ସମବେଦନା ଜଣାଇଛନ୍ତି। ସେ କହିଛନ୍ତି, ପାକିସ୍ତାନ ଓ ଚୀନର ବନ୍ଧୁତ୍ୱକୁ କେହି ଭାଙ୍ଗିପାରିବେ ନାହିଁ। ଦାସୁରେ ଏକ ହାଇଡ୍ରୋପାୱାର ପ୍ରୋଜେକ୍ଟ କାମ ଚାଲିଛି। ସେହି କାମ ନେଇଥିବା China Gezhouba Group Company (ସିଜିଜିସି)ର ଇଞ୍ଜିନିୟର ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ କନଭୟଟି ଯାଉଥିଲା। ପୂର୍ବରୁ ୨୦୨୧ରେ ମଧ୍ୟ ଏହି କମ୍ପାନୀର ଏକ ବସ୍‌ ଉପରେ ଆକ୍ରମଣ ହୋଇଥିଲା।