ଥରିଲା ବାଲି ଏବଂ ଲମ୍ବୋକ୍ ଦ୍ୱୀପପୁଞ୍ଜ
ସମୁଦ୍ର ଭିତରେ ଶକ୍ତିଶାଳୀ ଭୂକମ୍ପ, ଥରିଲା ଇଣ୍ଡୋନେସିଆ । ଶକ୍ତିଶାଳୀ ଭୂକମ୍ପ ସମୁଦ୍ର ଭିତରେ ହୋଇଛି ତଥାପି ସମୁଦ୍ର ପାଖାପାଖି ଅଞ୍ଚଳରେ ରହୁଥିବା ଲୋକେ ଭୟଭୀତ ହୋଇ ବିଲ୍ଡିଂରୁ ବାହାରକୁ ଚାଲି ଆସିଥିଲେ । ଇଣ୍ଡୋନେସିଆର ବାଲି ଏବଂ ଲମ୍ବୋକ୍ ଦ୍ୱୀପପୁଞ୍ଜର ଉତ୍ତରରେ ଥିବା ସମୁଦ୍ରରେ ଶକ୍ତିଶାଳୀ ଭୂକମ୍ପ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଆଜି ଭୋର ସମୟରେ ଭୂକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୭.୦ ଥିଲା । ଭୂକମ୍ପର କେନ୍ଦ୍ରସ୍ଥଳ ଇଣ୍ଡୋନେସିଆର ମାତାରାମଠାରୁ ୨୦୩ କିଲୋମିଟର ଦୂରରେ ହୋଇଥିବା ଜଣାପଡ଼ିଛି । ସମୁଦ୍ର ପତ୍ତନଠୁ ପ୍ରାୟ ୫୧୮ କିମି ଗଭୀରରେ ଭୂକମ୍ପ ହୋଇଥିବାରୁ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନି । ଗତ ବର୍ଷ ନଭେମ୍ବରରେ ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରାନ୍ତରେ ଭୂକମ୍ପ ହୋଇଥିବା ବେଳେ ଏଥିରେ ୩ଶହ ଲୋକଙ୍କ ଜୀବନ ଚାଲି ଯାଇଥିଲା । ସେତେବେଳେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୬ ଥିଲା। ଗତ ୨୦୦୫ ମସିହା ମାର୍ଚ୍ଚ ୨୮ ତାରିଖରେ ୮.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା, ଯେଉଁଥିରେ ୧୩ଶହରୁ ଅଧିକ ଲୋକଙ୍କ ଜୀବନ ଚାଲି ଯାଇଥିଲା । ତାହା ପୃଥିବୀର ସବୁଠୁ ଭୟଙ୍କର ଭୂକମ୍ପ ମଧ୍ୟରୁ ଚତୁର୍ଥ ଥିଲା ।