କାଲିଫର୍ଣ୍ଣିଆରେ ବାତ୍ୟା ତାଣ୍ଡବ

ବାଜା କାଲିଫର୍ଣ୍ଣିଆ ଉପଦ୍ବୀପରେ ‘ହିଲାରି’ର ଲ୍ୟାଣ୍ଡ୍‌ଫଲ୍‌

ଭୟଙ୍କର ବାତ୍ୟା ‘ହିଲାରି’ ଉତ୍ତରପଶ୍ଚିମ ମେକ୍ସିକୋରେ ସ୍ଥଳଭାଗକୁ ପ୍ରବେଶ କରିବା ଓ ଆମେରିକାର କାଲିଫର୍ଣ୍ଣିଆ ଆଡ଼କୁ ଅଗ୍ରସର ହେଉଥିବା ଆନ୍ତର୍ଜାତିକ ଗଣମାଧ୍ୟମ ପକ୍ଷରୁ ସୂଚନା ରହିଛି । ମେକ୍‌ସିକୋରେ ଲ୍ୟାଣ୍ଡ୍‌ଫଲ୍‌ କରିଥିବା ଲଘୁଚାପଜନିତ ଏହି ବିଷୁବରୈଖୀୟ ଭୟଙ୍କର ବାତ୍ୟା ଯୋଗୁଁ ଆକସ୍ମିକ ବନ୍ୟା, ଚକ୍ରବାତ ଓ ଭୀଷଣ ବତାସ ପ୍ରବାହିତ ହୋଇ ବିଜୁଳି ସରବରାହରେ ବ୍ୟାଘାତ ଘଟିଛି ବୋଲି ନ୍ୟୁଜ୍ ଏଜେନ୍‌ସି ‘ଏ.ପି.’ ରିପୋର୍ଟ କରିଛି। ‘ୟୁଏସ୍‌ ନ୍ୟାସ୍‌ନାଲ୍‌ ହରିକେନ୍‌ ସେଣ୍ଟର୍‌’ କହିଛି: ଘଣ୍ଟାପ୍ରତି ୧୦୦ କିଲୋମିଟର୍‌ ବତାସ ସହିତ ‘ହିଲାରି’ ମେକ୍‌ସିକୋର ଉତ୍ତର ପ୍ରାନ୍ତରେ ଥିବା ବାଜା କାଲିଫର୍ଣ୍ଣିଆ ଉପଦ୍ବୀପରେ ଲ୍ୟାଣ୍ଡ୍‌ଫଲ୍‌ କରିଛି। ଏଥିଯୋଗୁଁ ସୋମବାର ଦିନ ବାଜା କାଲିଫର୍ଣ୍ଣିଆ ଓ ଦକ୍ଷିଣପଶ୍ଚିମ ଆମେରିକାରେ ପ୍ରଳୟଙ୍କରୀ ଓ ଜୀବନ-ଘାତକ ବନ୍ୟା ଆସିପ‌ରେ ବୋଲି ‘ୟୁଏସ୍‌ ନ୍ୟାସ୍‌ନାଲ୍‌ ହରିକେନ୍‌ ସେଣ୍ଟର୍‌’ ସତର୍କ କରାଇଦେଇଛି । ସରକାରୀ କର୍ତ୍ତୃପକ୍ଷମାନେ କହିଛନ୍ତି ଯେ, ବାତ୍ୟା ଯୋଗୁଁ ଉତ୍ତରପଶ୍ଚିମ ମେକ୍ସିକୋରେ ଗାଡ଼ି ଭାସିଯିବାରୁ ଜ‌ଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ପ୍ରତିବର୍ଷ ମେକ୍ସିକୋର ପ୍ରଶାନ୍ତ ମହାସାଗର ଓ ଆଟ୍‌ଲାଣ୍ଟିକ୍ ମହାସାଗର ଉପକୂଳବର୍ତ୍ତୀ ଅଞ୍ଚଳରେ ବାତ୍ୟା ହୁଏ । କିନ୍ତୁ, ଆମେରିକାର କାଲିଫର୍ଣ୍ଣିଆକୁ ବାତ୍ୟା କ୍ବଚିତ୍‌ ପ୍ରଭାବିତ କରେ । ତାହା ପୁଣି ଏତେ ତୀବ୍ର ହୋଇ ନ ଥାଏ । ଦୀର୍ଘ ୮୪ ବର୍ଷ ପରେ ପ୍ରଥମ କରି ଆମେରିକାର କାଲିଫର୍ଣ୍ଣିଆ ଆଡ଼କୁ ଏଧରଣ ବାତ୍ୟା ଅଗ୍ରସର ହେଉଛି । ଜଳବାୟୁ ପରିବର୍ତ୍ତନ ଯୋଗୁଁ ବିଶ୍ବ ଉତ୍ତପ୍ତ ହୋଇଯାଉଥିବାରୁ ବାତ୍ୟା ସବୁ ଅଧିକ ଶକ୍ତିଶାଳୀ ହେଉଥିବା କଥା ବୈଜ୍ଞାନିକମାନେ କହିଛନ୍ତି ।