କର୍କଟ ରୋଗ ଚିକିତ୍ସା କ୍ଷେତ୍ରରେ ନୂଆ ସଫଳତା

୭ ମିନିଟ୍ ରେ ସୁସ୍ଥ ହେବେ କର୍କଟ ରୋଗୀ

ଚିକିତ୍ସ କ୍ଷେତ୍ରରେ ନୂଆ ସଫଳତା । ବ୍ରିଟେନର ରାଷ୍ଟ୍ରାୟତ୍ତ ନ୍ୟାସନାଲ ହେଲଥ୍ ସର୍ଭିସ ବା ଏନ୍ଏଚ୍ଏସ୍ ବିଶ୍ୱର ପ୍ରଥମ ଏଜେନ୍ସି ହେବ ଯିଏ କି ଇଂଲଣ୍ଡର ଶତାଧିକ ରୋଗୀଙ୍କୁ କର୍କଟ ରୋଗର ଚିକିତ୍ସା ପାଇଁ ଏକ ଇଞ୍ଜେକସନ୍ ପ୍ରଦାନ କରିବ । ଏହା ଦ୍ୱାରା କର୍କଟ ରୋଗର ଚିକିତ୍ସା ପାଇଁ ଲାଗିଥିବା ସମୟକୁ ତିନି ଚତୁର୍ଥାଂଶ ପର୍ଯ୍ୟନ୍ତ ହ୍ରାସ କରାଯାଇପାରିବ । ମେଡିସିନ ଆଣ୍ଡ ହେଲଥକେୟାର ପ୍ରଡକ୍ଟସ ରେଗୁଲେଟରୀ ଏଜେନ୍ସି ବା ଏମଏଚଆରଏର ଅନୁମୋଦନ ପରେ ଏନଏଚଏସ ଇଂଲଣ୍ଡ ମଙ୍ଗଳବାର କହିଛି ଯେ ଆଟେଜୋଲିଜୁମାବ ଇଂଜେକ୍ସନ ଏହି ଚମତ୍କାର କରିଛି । କର୍କଟ ରୋଗ ପାଇଁ ଚିକିତ୍ସିତ ହେଉଥିବା ଶତାଧିକ ରୋଗୀଙ୍କୁ “ଚର୍ମ ତଳେ”  ଏହି ଇଞ୍ଜେକ୍ସନ ଦିଆଯିବ । ଏହା ଦ୍ୱାରା କର୍କଟ ରୋଗୀଙ୍କୁ ଚିକିତ୍ସା ପାଇଁ ଅଧିକ ସମୟ ମିଳିବ ।

ରୋଚେ ପ୍ରଡକ୍ଟସ ଲିମିଟେଡର ମେଡିକାଲ ଡାଇରେକ୍ଟର ମାରିଅସ୍ ସୋଲଜ୍ କହିଛନ୍ତି, “ସିଧାସଳଖ ଶିରାରେ ଦିଆଯାଉଥିବାରୁ ପୂର୍ବରୁ ଯାହା ୩୦ରୁ ୬୦ ମିନିଟ୍ ସମୟ ଲାଗୁଥିଲା ଏବେ  ତାହା ପ୍ରାୟ ୭ ମିନିଟ୍ ସମୟ ଲାଗୁଛି। ଏହା ଫଳରେ କମ ସମୟରେ ଅଧିକ ରୋଗୀଙ୍କ ଚିକିତ୍ସା କରାଯାଇପାରୁଛି । ଏହି ଇଂଜେକ୍ସନ ଜେନେନଟେକ୍ ଦ୍ୱାରା ତିଆରି କରାଯାଇଛି । ଏହା ହେଉଛି ଏକ ଇମ୍ୟୁନୋଥେରାପି ଔଷଧ, ଯାହା ରୋଗୀର ନିଜର ରୋଗ ପ୍ରତିରୋଧକ ଶକ୍ତିକୁ ଶକ୍ତିଶାଳୀ କରି କର୍କଟ କୋଷଗୁଡ଼ିକୁ ଖୋଜିବା ଏବଂ ନଷ୍ଟ କରିବାରେ ସକ୍ଷମ କରିଥାଏ । ଏହା ବର୍ତ୍ତମାନ ଫୁସଫୁସ, ସ୍ତନ, ଯକୃତ ଏବଂ ମୂତ୍ରାଶୟ ସମେତ ବିଭିନ୍ନ ପ୍ରକାର କର୍କଟ ରୋଗରେ ପୀଡ଼ିତ ରୋଗୀଙ୍କ ଚିକିତ୍ସା କରୁଛି ।