ପୂର୍ବପତ୍ନୀଙ୍କୁ ହତ୍ୟାର ଲାଇଭ୍ ଷ୍ଟ୍ରିମ୍
ବୋଜ୍ନିଆ ଦେଶରେ ଏମିତି ଏକ ଘଟଣା ଘଟିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ନିଜ ଇନଷ୍ଟାଗ୍ରାମରେ ଲାଇଭ କରି ହତ୍ୟା କରିଛନ୍ତି ଜଣେ ବଡି ବିଲ୍ଡର । ‘ଇନ୍ଷ୍ଟାଗ୍ରାମ୍’ରେ ଷ୍ଟ୍ରିମିଙ୍ଗ୍ କରି ପୂର୍ବତନ ସ୍ତ୍ରୀ’ଙ୍କୁ ଗୁଳି ମାରି ହତ୍ୟା କରିବା ପରେ ବୋଜ୍ନିଆ ଦେଶର ଜଣେ ‘ବଡିବିଲଡର୍’ ଖସି ପଳାଉଥିବା ବେଳେ ବାଟରେ ଆଉ ୨ଜଣଙ୍କୁ ହତ୍ୟା କରି ଶେଷରେ ନିଜେ ଜୀବନ ହାରିଥିବା ସୂଚନା ରହିଛି । ବୋଜ୍ନିଆର ଉତ୍ତରପୂର୍ବାଞ୍ଚଳରେ ଥିବା ସହର ଗ୍ରାଡାକାକ୍ରେ ଏହି ଆକ୍ରମଣ ଘଟଣା ଘଟିଥିଲା। ଠାବ କରାଯାଇ ଗିରଫ ହେବା ପୂର୍ବରୁ ଆକ୍ରମଣକାରୀ ଆଉ ୩ଜଣଙ୍କୁ ଆହତ କରି ଜୀବନ ହରାଇଥିଲେ ବୋଲି ଜାରି କରିଥିବା ବିବୃତିରେ ତୁଲ୍ଜା ପୁଲିସ କହିଛି। ପ୍ରୋସିକ୍ୟୁଟର୍ କହିଛନ୍ତି ଯେ, ପୂର୍ବତନ ସ୍ତ୍ରୀ’ଙ୍କୁ ହତ୍ୟା କରିବା ପରେ ପିସ୍ତଲ ଧରିଥିବା ଆତତାୟୀଜଣକ ଗ୍ରାଡାକାକ୍ ସହରର ରାସ୍ତାକୁ ବାହାରି ଯାଇଥିଲେ। ସେଠାରେ ସେ ଜଣେ ବ୍ୟକ୍ତି ଓ ତାଙ୍କ ପୁଅକୁ ଗୁଳିମାରି ହତ୍ୟା କରିଥିଲେ। ସହରର ବିଭିନ୍ନ ପ୍ରାନ୍ତରେ ସେ ଜଣେ ପୁଲିସ ଅଧିକାରୀ, ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ବି ଆହତ କରିଛନ୍ତି । ସକାଳେ ସୁଲେଜମାନୋଭିକ୍ ‘ଇନ୍ଷ୍ଟାଗ୍ରାମ୍’ରେ ଭିଡିଓ ପୋଷ୍ଟ୍ କରି କହିଥିଲେ ଯେ, ସେମାନେ ଗୋଟାଏ ‘ମର୍ଡର୍ ଲାଇଭ୍’ ଦେଖିବେ। ତା’ପରେ ଉକ୍ତ ଭିଡିଓରେ ଦେଖାଯାଉଛି ସେ ବନ୍ଧୁକଟିଏ ଧରି ଜଣେ ମହିଳାଙ୍କ କପାଳରେ ଗୁଳି ମାରୁଛନ୍ତି। ଆଖପାଖରୁ କେଉଁଠୁ ଗୋଟାଏ ପିଲାର କାନ୍ଦ ବି ଶୁଭୁଛି। ପରେ ‘ଇନ୍ଷ୍ଟାଗ୍ରାମ୍’ରୁ ସେ ଭିଡିଓ ହଟାଇ ଦିଆଯାଇଥିଲା।ପୁଲିସ ଖୋଜୁଥିବା ସମୟରେ ସୁଲେଜମାନୋଭିକ୍ ଆଉ ୨ଜଣ ବ୍ୟକ୍ତିଙ୍କୁ ହତ୍ୟା କରୁଥିବାର ଭିଡିଓ ମଧ୍ୟ ‘ଇନ୍ଷ୍ଟାଗ୍ରାମ୍’ରେ ପୋଷ୍ଟ କରିଥିଲେ। ଏହି ଲାଇଭ୍ଷ୍ଟ୍ରିମ୍କୁ ୧୨,୦୦୦ ଲୋକ ଦେଖିଥିଲେ ଓ ଏହା ୧୨୬ଟି ‘ଲାଇକ୍’ ପାଇଥିବା କଥା ପରେ ସରକାରୀ ଅଧିକାରୀମାନେ କହିଥିଲେ।