ଟୋପାଏ ପାଣି ପାଇଁ ଡହଳବିକଳ ଗାଜା !

ମୃତ୍ୟୁର ପାହାଡ଼ ଉପରେ ଗାଜା !

ଏଯାଏଁ ବନ୍ଦ ହୋଇନି ଇସ୍ରାଏଲ-ହମାସ ଲଢେଇ ।ଏହାରି ଭିତରେ ୧୦ଦିନରୁ ଊର୍ଦ୍ଧ୍ଵ ସମୟ ବିତିଥିଲେ ଦୁଇ ପକ୍ଷର ମଧ୍ୟରେ ଉପୁଜିଥିବା ଯୁଦ୍ଧରେ ପଡିନି ପୂର୍ଣ୍ଣଛେଦ । ଯାହାକୁ ନେଇ ସାରା ବିଶ୍ଵ ଏବେ ଚିନ୍ତାରେ ପଡିଛି ଗାଜାରେ ଦିନକୁ ଦିନ ସ୍ଥିତି ବିଗୁଡୁଥିବା ବେଳେ ଖାଦ୍ୟ ଓ ପିଇବା ପାଣିର ଘୋର ଅଭାବ ଦେଖାଦେଇଛି । ହମାସ ଆତଙ୍କୀ ଗୋଷ୍ଠୀଙ୍କୁ ସମୂଳେ ନିପାତ ପାଇଁ ଇସ୍ରାଏଲ ଗାଜା ଷ୍ଟ୍ରିପକୁ ସମସ୍ତ ପ୍ରକାର ସହାୟତା ସମ୍ପୂର୍ଣ୍ଣ ବନ୍ଦ କରିଥିବା ବେଳେ ଅତି ଭୟଙ୍କର ମାନବୀୟ ସଙ୍କଟ ସୃଷ୍ଟି ହୋଇଛି । ଟୋପାଏ ପାଣି ଓ ଖଣ୍ଡେ ପାଉଁରୁଟି ପାଇଁ ଗାଜାବାସୀ ହୋଟେଲ ଓ ରେଷ୍ଟୁରାଂଟ ସମ୍ମୁଖରେ ଲମ୍ବାଧାଡି ଲଗାଉଛନ୍ତି ।

ସ୍ଥିତି ଏଭଳି ହୋଇଛି ଯେ ଦିନକୁ ମାତ୍ର ଗୋଟେ ଲିଟର ପାନୀୟ ଜଳ ମିଳୁଛି ।ରୋଗୀ ମାନଙ୍କୁ ହସ୍ପିଟାଲରେ ବେଡ ମିଳୁନଥିବା ବେଳେ ଶବଦାହ ପାଇଁ ଶ୍ମଶାନରେ ମଧ୍ୟ ସ୍ଥାନ ମିଳୁନାହିଁ । ଗାଜାବାସୀ ଖାଦ୍ୟ, ପିଇବା ପାଣି, ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଥିବା ବେଳେ ଜାତିସଂଘର ସ୍ୱାସ୍ଥ୍ୟବିଭାଗ ଏନେଇ ଚିନ୍ତାପ୍ରକଟ କରିଛି । କୂଢକୂଢ ଶବ ଉପରେ ଠିଆ ହୋଇ ମୃତ୍ୟୁର ତାଣ୍ଡବ ଦେଖୁଛି ଗାଜା । ଏ ସ୍ଥିତି କେବେ ସୁଧୀରିବ ସେନେଇ ପ୍ରାର୍ଥନା କରୁଛି ସାରା ବିଶ୍ଵ । ଦେଖିବାକୁ ବାକି ରହିଲା ଉଭୟ ଦେଶ ମଧ୍ୟରେ କେବେ ଶାନ୍ତି ଫେରୁଛି ।