ଶରଣାର୍ଥୀ ଶିବିର ଉପରେ ବିସ୍ଫୋରଣ

‘ବ୍ରଡ୍‌କାଷ୍ଟ୍‌ ଇଞ୍ଜିନିୟର୍‌’ଙ୍କ ପରିବାରର ୧୯ ସଦସ୍ୟ ମୃତ

ହମାସ୍‌ ଆତଙ୍କବାଦୀମାନଙ୍କୁ ଟାର୍ଗେଟ୍‌ କରି ଇସ୍ରାଏଲ୍‌ ସ୍ଥଳଭାଗରେ ଚଳାଇଥିଲା ଅଭିଯାନ । ଏହି ସମୟରେ ଗାଜାରେ ଥିବା ବୃହତ୍ତମ ଶରଣାର୍ଥୀ ଶିବିର ଉପରେ ବୋମା ପଡ଼ିବାରୁ ବୈଦ୍ୟୁତିକ ଗଣମାଧ୍ୟମ ‘ଅଲ୍‌ ଜଜୀରା’ର ଜଣେ ‘ବ୍ରଡ୍‌କାଷ୍ଟ୍‌ ଇଞ୍ଜିନିୟର୍‌’ଙ୍କ ପରିବାରର ୧୯ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଗାଜା ବ୍ୟୁରୋରେ କାର୍ଯ୍ୟ କରୁଥିବା ମହମ୍ମଦ୍‌ ଆବୁ ଅଲ୍‌-କ୍ୟୁମ୍‌ସାନ ତାଙ୍କର ବାପା, ଭାଇ, ୨ ଭଉଣୀ, ୮ ପୁତୁରା ଓ ଝିଆରୀଙ୍କ ସମେତ ଅନ୍ୟାନ୍ୟ ଆତ୍ମୀୟଙ୍କୁ ହରାଇଛନ୍ତି । ଜନଗହଳି ଭରା ଜାବାଲିଆ ଶରଣାର୍ଥୀ ଶିବିରରେ ଇସ୍ରାଏଲ୍‌ ବିମାନ ଆକ୍ରମଣ କରିବାରୁ ସେମାନଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣରେ ଅନ୍ୟୂନ ୫୦ଜଣ ପାଲେଷ୍ଟିନୀୟ ଓ ଜଣେ ହମାସ୍‌ କମାଣ୍ଡର୍‌ଙ୍କର ମୃତ୍ୟୁ ଘଟିଛି । ଆମ ନିଷ୍ଠାପର ‘ଏସ୍‌ଏନ୍‌ଜି’ ଇଞ୍ଜିନିୟର୍‌ଙ୍କ ପରିବାର ୧୯ଜଣ ସଦସ୍ୟଙ୍କ ମୃତ୍ୟୁର କାରଣ ହୋଇଥବା ଇସ୍ରାଏଲ୍‌ର ଘୃଣ୍ୟ ଓ ନିର୍ବିଚାର ବୋମା ମାଡ଼କୁ ଆମେ ତୀବ୍ର ନିନ୍ଦା କରୁଛୁ ବୋଲି ‘ଅଲ୍‌ ଜଜୀରା’ କହିଛି। ସୋସିଆଲ ମିଡିଆ ‘ଏକ୍ସ୍‌’ ଜରିଆରେ ‘ଅଲ୍‌ ଜଜୀରା’ କହିଛି ଯେ, ଜାବାଲିଆ ନରସଂହାର ମହମ୍ମଦଙ୍କର ବାପା, ଦୁଇ ଭଉଣୀ, ୮ଜଣ ପୁତୁରା ଓ ଝିଆରୀ, ତାଙ୍କ ଭାଇ, ଭାଇଙ୍କ ସ୍ତ୍ରୀ ଓ ସେମାନଙ୍କ ୪ଜଣ ସନ୍ତାନ, ତାଙ୍କ ଶାଳୀ ଓ ଜଣେ ଦାଦାଙ୍କର ପ୍ରାଣ ନେଇଛି । ଆମେ ମହମ୍ମଦ୍‌ ଓ ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ । ସାଧାରଣ ନାଗରିକମାନଙ୍କ ଉପରେ ଆକ୍ରମଣ କରିଥିବାରୁ ଇସ୍ରାଏଲ୍‌କୁ ଉତ୍ତରଦାୟୀ କରି ଆନ୍ତର୍ଜାତିକ ବିଚାର ଲାଗୁ କରାଯିବା ଉଚିତ ।