ଗାଜା-ଇସ୍ରାଏଲ ଯୁଦ୍ଧ ବିରତିର ପଞ୍ଚମ ଦିନ

ଆଉ ୧୧ ପଣବନ୍ଦୀଙ୍କୁ ମିଳିଲା ମୁକ୍ତି

ଗାଜା-ଇସ୍ରାଏଲ ଯୁଦ୍ଧ ବିରତିର ପଞ୍ଚମ ଦିନ । ଆଜି ଆଉ ୧୧ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ ଆତଙ୍କୀ । ମୁକ୍ତି ପାଇଥିବା ପଣବନ୍ଦୀ ମହିଳା ଓ ଶିଶୁ । ଏମାନଙ୍କୁ ଅକ୍ଟୋବର ୭ରେ ଆତଙ୍କବାଦୀ ଅପହରଣ କରିଥିଲେ । ରବିବାର ଚତୁର୍ଥ ଦିନରେ ୧୭ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଥିଲେ ହମାସ ଆତଙ୍କୀ । ମୁକ୍ତି ପାଇଥିବା ପଣବନ୍ଦୀଙ୍କ ମଧ୍ୟରେ ଜଣେ ୪ ବର୍ଷର ଇସ୍ରାଏଲୀ ଆମେରିକୀୟ ଶିଶୁ ରହିଛି । ମୁକ୍ତି ପାଇବାପରେ ସମ୍ପର୍କୀୟଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । କାରଣ ସେମାନଙ୍କ ମୁକ୍ତି ନେଇ କୌଣସି ସୂଚନା ନଥିଲା । ୧୭ ଜଣଙ୍କ ମଧ୍ୟରେ ୧୩ ଇସ୍ରାଏଲ ନାଗରିକଙ୍କ ସହ ଥାଇଲାଣ୍ଡର ୩ ଏବଂ ଜଣେ ଋଷ ନାଗରିକ ଅଛନ୍ତି । ସେପଟେ ଗତ ତିନି ଦିନ ମଧ୍ୟରେ ଇସ୍ରାଏଲ ୬୯ ଜଣ ପାଲେଷ୍ଟିନୀୟ ବନ୍ଦୀଙ୍କୁ ମୁକ୍ତ କରିଛି । ଇସ୍ରାଏଲ ଯୁଦ୍ଧ ବିରତି ମଧ୍ୟରେ ୧୫୦ ଜଣ ପାଲେଷ୍ଚାଇନଙ୍କୁ ମୁକ୍ତ କରିସାରିଲାଣି । ରମଲ୍ଲାରେ ସମସ୍ତ ପାଲେଷ୍ଟିନୀୟଙ୍କୁ ସ୍ବାଗତ କରାଯାଇଛି । ୱେଷ୍ଟବ୍ୟାଙ୍କର ରମଲ୍ଲାରେ ସମସ୍ତଙ୍କୁ ମୁକ୍ତ କରିଛି ଇସ୍ରାଏଲ । ବର୍ତ୍ତମାନ ସୁଦ୍ଧା ହମାସ ୫୮ ଜଣ ପଣବନ୍ଦୀଙ୍କୁ ମୁକ୍ତ କରିଛି । ପ୍ରଥମ ଦିନରେ ୨୪, ଦ୍ବିତୀୟ ଦିନରେ ୧୭ ଏବଂ ତୃତୀୟ ଦିନରେ ଆଉ ୧୭ ପଣବନ୍ଦୀଙ୍କୁ ମୁକ୍ତ କରିଛନ୍ତି ହମାସ ଆତଙ୍କୀ ଅନ୍ତର୍ଜାତୀୟ ରେଡକ୍ରସ ସଂସ୍ଥାକୁ ଏହି ପଣବନ୍ଦୀଙ୍କୁ ହସ୍ତାନ୍ତର କରିଛି ହମାସ । ଏହାପରେ ସମସ୍ତେ ଇସ୍ରାଏଲକୁ ଫେରିଛନ୍ତି । ଇଜିପ୍ଟର କରିମ ସାଲମ କ୍ରସିଂ ଦେଇ ସମସ୍ତେ ମୁକ୍ତ ହୋଇଛନ୍ତି । କତାର ମଧ୍ୟସ୍ଥତାରେ ସମସ୍ତ ପଣବନ୍ଦୀଙ୍କୁ ଛାଡୁଛନ୍ତି ହମାସ ଆତଙ୍କୀ । ମାତ୍ର ୪ ଦିନ ଯୁଦ୍ଧ ବିରତି ପାଇଁ ନିଷ୍ପତ୍ତି ହୋଇଥିବାବେଳେ ଇସ୍ରାଏଲ ପାଲେଷ୍ଟାଇନର ୧୫୦ ବନ୍ଦୀଙ୍କୁ ମୁକ୍ତ କରିବାକୁ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଛି।