ହମାସ କବଳରେ ୨୦୩ ଇସ୍ରାଏଲ ନାଗରିକ

କେବେ ଥମିବ ଯୁଦ୍ଧ, ଗଲାଣି ୩୦୬ ଇସ୍ରାଏଲ ସୈନିକଙ୍କ ଜୀବନ

ଇସ୍ରାଏଲ-ହାମାସ ଯୁଦ୍ଧରେ ଏପର୍ଯ୍ୟନ୍ତ ଗଲାଣି ୩୦୬ ଜଣ ଇସ୍ରାଏଲ ସୈନିକଙ୍କ ଜୀବନ ।  ଏହା ସହ ଏବେ ବି ହମାସ କବଳରେ ୨୦୩ ଇସ୍ରାଏଲ ନାଗରିକ ବନ୍ଧକ ଅଛନ୍ତି । ଏନେଇ ଇସ୍ରାଏଲ ପ୍ରତିରକ୍ଷା ବାହିନୀ ବା ଆଇଡିଏଫ୍ ସୂଚନା ଦେଇଛି । ଇସ୍ରାଏଲ ପ୍ରତିରକ୍ଷା ବାହିନୀର ମୁଖପାତ୍ର ଡାନିଏଲ ହାଗରୀ କହିଛନ୍ତି ଯେ ଗାଜାରେ ହାମାସ ଅତି କମରେ ୨୦୩ ଜଣଙ୍କୁ ଅଟକ ରଖିଛି । ଏ ସଂପର୍କରେ ବନ୍ଧକମାନଙ୍କ ପରିବାରକୁ ସୂଚନା ଦିଆଯାଇଛି । ଏହା ସହ ଅକ୍ଟୋବର ୭ରୁ ହମାସ ସହ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୩୦୬ ଜଣ ସୈନିକଙ୍କ ମୃତ୍ୟୁ ହୋଇଛି  ଆଇଡିଏଫ୍ ଘୋଷଣା କରିଛି । ତେବେ ଇସ୍ରାଏଲ ସେନା ମୁଖପାତ୍ର ହାଗରି କହିଛନ୍ତି ଯେ ଅକ୍ଟୋବର ୭ ଆକ୍ରମଣ ପରେ ନିଖୋଜ ଥିବା ଇସ୍ରାଏଲବାସୀଙ୍କ ବିଷୟରେ ଆଇଡିଏଫ ଲଗାତାର ତଥ୍ୟ ସଂଗ୍ରହ କରୁଥିବାରୁ ମୃତ ଓ ବନ୍ଧକଙ୍କ ସଂଖ୍ୟା ଚୂଡ଼ାନ୍ତ ନୁହେଁ। କେତେକ କ୍ଷେତ୍ରରେ ସେମାନଙ୍କୁ ହମାସ ଅଟକ ରଖିଥିବା ନେଇ ସେନା ସନ୍ଦେହ କରୁଛି ବୋଲି ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା। ଆଉ କେତେକ ମାମଲାରେ ସେମାନେ ବନ୍ଧକ ନ ଥିବା ବିଶ୍ବାସ କରାଯାଉଛି । ହମାସ ଆତଙ୍କବାଦୀମାନେ ଇସ୍ରାଏଲରେ ପ୍ରବେଶ କରି ଇସ୍ରାଏଲ ଉପରକୁ ରକେଟ୍ ମାଡ଼ କରିବା ପରେ ଗାଜା ଯୁଦ୍ଧ ଭୟଙ୍କର ରୂପ ଧାରଣ କରିଛି ଏବଂ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ହମାସକୁ ନିପାତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।