ଡେର୍ନାରେ ବାତ୍ୟା ନେଲା ୨୦୦୦ ଜୀବନ, ସମୁଦ୍ରରେ ନିଖୋଜ ୬୦୦୦
ବାତ୍ୟା ଓ ବର୍ଷାର କରାଳ ରୂପ । ଲିବ୍ୟାର ଡେର୍ନା ନଗରୀକୁ ପ୍ରଳୟଙ୍କରୀ ବନ୍ୟା ଆସିବାରୁ ଅନ୍ୟୂନ ୨୦୦୦ ଲୋକଙ୍କର ମୃତ୍ୟୁ ଘଟିଛି ଓ ଆହୁରି ଅସଂଖ୍ୟ ଲୋକ ନିଖୋଜ ହୋଇ ଯାଇଥିବା କଥା ପୂର୍ବାଞ୍ଚଳ ଲିବ୍ୟାର ସରକାରୀ କର୍ତ୍ତୃପକ୍ଷମାନେ ସୂଚନା ଦେଇଛନ୍ତି । ଲିବ୍ୟାର ପୂର୍ବ ପ୍ରାନ୍ତକୁ ନିୟନ୍ତ୍ରଣ କରୁଥିବା ‘ଲିବ୍ୟାନ୍ ନ୍ୟାସ୍ନାଲ୍ ଆର୍ମି’ର (ଏଲ୍ଏନ୍ଏ) ମୁଖପାତ୍ର ଅହମଦ୍ ମିସ୍ମାରି କହିଛନ୍ତି ଯେ, ଡେର୍ନା ଉପର ପ୍ରାନ୍ତରେ ଥିବା ଜଳଭଣ୍ଡାର ସବୁ ଭୁଶୁଡ଼ି ପଡ଼ିବା କାରଣରୁ ଦୁର୍ବିପାକ ଆସି ଆଖପାଖ ସବୁ ଅଞ୍ଚଳକୁ ବୁଡ଼ାଇ ଦେବା ସହିତ ଲୋକମାନଙ୍କୁ ସମୁଦ୍ର ଭିତରକୁ ଭସାଇ ନେଲା । ନିଖୋଜ ବ୍ୟକ୍ତିମାନଙ୍କ ସଂଖ୍ୟା ୫/୬ ହଜାର ହେବ ବୋଲି ସେ ଆକଳନ କରିଛନ୍ତି । ରବିବାର ଅପରାହ୍ଣରେ ଭୂମଧ୍ୟସାଗର ଉପର ଦେଇ ବାତ୍ୟା ‘ଡାନିଏଲ୍’ ପ୍ରବାହିତ ହୋଇଥିଲା। ଫଳରେ ଡେର୍ନା ନଗରୀରେ ରାସ୍ତାଘାଟ ଭସାଇ ନେବା ସହିତ କୋଠାବାଡ଼ି ନଷ୍ଟ କରି ଦେଇଥିଲା। ଡେର୍ନା ନଗରୀର ଜଣେ ବାସିନ୍ଦା କହିଛନ୍ତି, ତହିଁ ଆର ଦିନ ସକାଳେ ଘରୁ ବାହରିଲା ବେଳକୁ ସହରରେ ରାସ୍ତା ବୋଲି କିଛି ନ ଥିଲା।
