ନିୟନ୍ତ୍ରଣ ବାହାରେ ଫ୍ରାନ୍ସର ସ୍ଥିତି

ମେୟରଙ୍କ ଘର ଉପରେ ଚଢାଇଲେ କାର୍

ଫ୍ରାନ୍ସରେ ହିଂସା ପରିସ୍ଥିତି ଜଟିଳ । ଲଗାତାର ପଞ୍ଚମ ଦିନ ଧରି ଦଙ୍ଗା ଜାରି ରହିଛି। ଦଙ୍ଗାକାରୀଙ୍କ ଆତଙ୍କ ବେଳକୁ ବେଳ ଭୟାନକ ହେଉଥିବା ବେଳେ ପୋଲିସ ପ୍ରଶାସନ ଅସହାୟ ପାଲଟି ଯାଇଛି। ଦକ୍ଷିଣ ପ୍ୟାରିସର ମେୟରଙ୍କ ଘର ଉପରେ ବିକ୍ଷୋଭକାରୀ କାର୍ ମଡାଇଦେବାରୁ ମେୟରଙ୍କ ସହ ତାଙ୍କ ପତ୍ନୀ ଓ ପୁଅ ଆହତ ହୋଇଥିବା ଜଣାପଡିଛି । ଦଙ୍ଗାକାରୀମାନେ ବାସଭବନକୁ ଜାଳିଦେବାକୁ ମଧ୍ୟ ଉଦ୍ୟମ କରିଥିଲେ ବୋଲି ମେୟର ଭିନ୍‌ସେଣ୍ଟ୍‌ ଜିନ୍‌ବ୍ରୁନ୍‌ କହିଛନ୍ତି । ଅତିରିକ୍ତ ୪୫ ହଜାର ସୁରକ୍ଷା କର୍ମୀଙ୍କ ନିୟୋଜନ ସତ୍ତ୍ବେ ହିଂସା ନିୟନ୍ତ୍ରଣ ହେଉନାହିଁ । ଗତ ରାତିରେ ମଧ୍ୟ ଦଙ୍ଗାକାରୀ ଶତାଧିକ ସରକାରୀ ଭବନରେ ନିଆଁ ଲଗାଇ ଦେବା ସହ ୨ ଶହରୁ ଅଧିକ ଗାଡ଼ି ଜାଳି ଦେଇଛନ୍ତି। ପ୍ରାୟ ୧ ହଜାର ଦୋକନ ଜଳି ପାଉଁଶ ହୋଇଯାଇଛି।
ଫ୍ରାନ୍ସର ବିଭିନ୍ନ ସହରରେ ହଜାର ହଜାର ସରକାରୀ ଦପ୍ତର ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ଲୁଟ୍‌ପାଟ୍‌ ମଧ୍ୟ ଅତି ବ୍ୟାପକ ହୋଇଛି। ଏଭଳି ସ୍ଥିତିରେ ଆଇନ ଶୃଙ୍ଖଳା ରକ୍ଷା କରିବା ଅତୀବ କଷ୍ଟକର ହୋଇପଡ଼ିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହି ଦଙ୍ଗା ପାଇଁ ସବୁଠାରୁ ବଡ଼ ସଙ୍କଟ ସାମ୍ନା କରୁଛନ୍ତି ଏବଂ ପରିସ୍ଥିତି ଖୁବ୍‌ଶୀଘ୍ର ନିୟନ୍ତ୍ରଣକୁ ଆସିବ ବୋଲି ଲୋକଙ୍କୁ ପୁଣିଥରେ ଆଶ୍ବସ୍ତ କରିଛନ୍ତି। ପୁଲିସ ଗୁଳିରେ ଯେଉଁ ୧୭ ବର୍ଷୀୟ ମୁସ୍‌ଲିମ ବାଳକ ନାହେଲ ଏମ୍‌ ନିହତ ହୋଇଥିଲା ତା’ର ପରିବାର ନାଇଜେରିଆରୁ ଆସି ପ୍ୟାରିସ୍‌ରେ ରହୁଥିଲେ। କେତେକ ଅପରାଧ ମାମଲାରେ ଜଡ଼ିତ ଏହି ବାଳକକୁ ଯେଭଳି ଗୁଳି କରାଗଲା ତାହା ଅକ୍ଷମଣୀୟ ବୋଲି ରାଷ୍ଟ୍ରପତି ମାକ୍ରନ କହିଛନ୍ତି। ଆଜି ମୃତ ବାଳକଙ୍କ ପରିବାର ପକ୍ଷରୁ ଶାନ୍ତି ରକ୍ଷା ପାଇଁ ଲୋକଙ୍କୁ ନିବେଦନ କରାଯାଇଛି।