ଭାରସାମ୍ୟ ହରାଇ ଘାଟିରୁ ଖସି ପଡିଲା ବସ୍। ଚାଲିଗଲା ୨୭ଟି ନିରୀହ ଜୀବନ। ଏଭଳି ଭୟଙ୍କର ତଥା ଲୋମହର୍ଷଣକାରୀଘଟଣା ଦେଖିବାକୁ ମିଳିଛି ମେକ୍ସିକୋର ଦକ୍ଷିଣପୂର୍ବ ରାଜ୍ୟ ଓଆକ୍ସାକାରେ । ଏଥିରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି ଭୟଙ୍କର ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କାଇଦେଇଛି।
ସୂଚନାମୁତାବକ, ଯାତ୍ରୀବାହୀ ବସ୍ ଟି ଭାରସାମ୍ୟ ହରାଇ ଘାଟିରୁ ଖସି ଗଭୀର ଖାତରେ ପଡ଼ିଯାଇଥିଲା। ଦୁର୍ଘଟଣାରେ ବସ୍ଟି ସଂପୂର୍ଣ୍ଣ ରୂପ ନଷ୍ଟ ହୋଇଯାଇଥିବା ବେଳେ ଉଦ୍ଧାରକାରୀ ଦଳ ବସ୍ କୁ ଘଟଣାସ୍ଥଳରୁ ଉଦ୍ଧାର କରି ଉପରକୁ ଆଣିଥିଲେ। ପୋଲିସ୍ ର ସୂଚନାନୁଯାୟୀ, କିଛି ଲୋକଙ୍କୁ ଧରି ବସ୍ଟି ପାହାଡ଼ିଆ ରାସ୍ତା ଅତିକ୍ରମ କରୁଥିଲା। ହେଲେ କୌଣସି କାରଣରୁ ଏହା ଭାରସାମ୍ୟ ହରାଇ ଖାତକୁ ଖସି ପଡ଼ିଥିଲା। ଆହତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଦୁର୍ଘଟଣାର କାରଣ ଜାଣିବା ପାଇଁ ତଦନ୍ତ କରାଯାଉଛି। ତେବେ ମେକାନିକାଲ ଫେଲ୍ ଯୋଗୁ ଏପରି ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ପୁଲିସ୍ ଆକଳନ କରିଛନ୍ତି। ବସ୍ଟି ସ୍ଥାନୀୟ ପରିବହନ ସଂସ୍ଥା ପକ୍ଷରୁ ପରିଚାଳନା କରାଯାଉଥିଲା। ମଙ୍ଗଳବାର ରାତିରେ ବସ୍ଟି ୪୦ରୁ ଅଧିକ ଲୋକଙ୍କୁ ଧରି ମେକ୍ସିକୋ ସିଟିରୁ ବାହାରି ଥିଲା। ଏହା ସାଣ୍ଟିଆଗୋ ଡେ ୟୋସୋନଡୁଆ ଯାଉଥିଲା। କିନ୍ତୁ ବୁଧବାର ଅଧା ରାସ୍ତାରେ ହିଁ ଏତେ ବଡ଼ ଘଟଣା ଘଟିଥିବା ପୁଲିସ୍ କହିଛି।