ନିଲାମ ହେବନି ‘ସନ୍ନି ଭିଲ୍ଲା’

ସନ୍ନିଙ୍କ ବଙ୍ଗଳା ନିଲାମ ନେଇ ଚର୍ଚ୍ଚା

ବଲିଉଡ୍‌ ସିନେମା ଅଭିନେତା ତଥା ଗୁରଦାସପୁରର ବିଜେପି ନେତା ସନ୍ନି ଦେଓଲଙ୍କ ଜୁହୁ ବଙ୍ଗଳା ନିଲାମକୁ ନେଇ ଏବେ ଚର୍ଚ୍ଚା ଜୋର୍‌ । ସନ୍ନିଙ୍କ ବଙ୍ଗଳା ନିଲାମ ହେବ ବୋଲି କଥା ଉଠୁଥିବା ବେଳେ ଏ‌ବେ ପୁଣି ନିଲାମ ହେବନାହିଁ ବୋଲି ସୂଚନା ରହିଛି । ଏନେଇ ‘ଗଦର ୨’ ଅଭିନେତା ସନ୍ନି କୌଣସି ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ସେ କହିଛନ୍ତି ଯେ ଏହା ତାଙ୍କର ବ୍ୟକ୍ତିଗତ ମାମଲା ହୋଇଥିବାରୁ ସେ ଏହା ଉପରେ କୌଣସି ବୟାନ ଦେବେ ନାହିଁ। ସନ୍ନି ୫୬ କୋଟି ଟଙ୍କାର ଋଣ ଶୁଝିବାରେ ବିଫଳ ହୋଇଥିବାରୁ ସେପ୍ଟେମ୍ବର ୨୫ରେ ତାହାକୁ ନିଲାମ କରିବା ଲାଗି ବ୍ୟାଙ୍କ ଅଫ୍‌ ବରୋଦା ଏକ ନୋଟିସ୍‌ ଜାରି କରିଥିଲା। ଚବିଶ ଘଣ୍ଟା ଭିତରେ ସେହି ନୋଟିସ୍‌କୁ ବ୍ୟାଙ୍କ ପ୍ରତ୍ୟାହାର କରିନେଇଛି। ବୈଷୟିକ କାରଣ ଦୃଷ୍ଟିରୁ ନୋଟିସ୍ ପ୍ରତ୍ୟାହାର କରାଯାଇଛି ବୋଲି ବ୍ୟାଙ୍କ କହିବା ସହ ଋଣ ଶୁଝିବା ଲାଗି ସନ୍ନି ବ୍ୟାଙ୍କ ସହ ଯୋଗାଯୋଗ କରିଥିବା କୁହାଯାଇଛି।