ପୁଣି ଟିଭି ପରଦାରେ ଭଗବାନଙ୍କ ଭୂମିକାରେ ଅରୁଣ

ରାମାୟଣର ରାମ ପୁଣି ବିଟ୍ଠଲ ଭୂମିକାରେ

ରାମାନନ୍ଦ ସାଗରଙ୍କ ରାମାୟଣରେ ପ୍ରତିଟି ଘରେ ଘରେ ପରିଚିତ । ସେଥିରେ ଅରୁଣ ଗୋବିଲ  ପ୍ରଭୁ ରାମ ଏବଂ ଦୀପିକା ଚିଖଲିଆ ମାତା ସୀତାଙ୍କ ଭୂମିକାରେ ଅଭିନୟ କରିଥିଲେ । କରୋନା ସମୟରେ ପୁଣି ଥରେ ଏହାର ପ୍ରସାରଣ କରାଯାଇଥିବା ବେଳେ ଶେମାରୁ ଟିଭିରେ ଏବେ ଏହାର ପ୍ରସାରଣ ହେଉଥିବା ଜଣାଯାଇଛି । ତେବେ ଐତିହାସିକ ରାମାୟଣରେ ପ୍ରଭୁ ରାମଙ୍କ ଚରିତ୍ରରେ ନଜର ଆସି ଲୋକଙ୍କ ପାଇଁ ଭଗବାନ ପାଲଟିଥିବା ଅରୁଣ ଗୋଭିଲ୍ ଏବେ ପୁଣି ଭଗବାନଙ୍କ ଆଉ ଏକ ଅବତାରରେ ନଜର ଆସିବାକୁ ଯାଉଛନ୍ତି। ଅରୁଣ ଗୋଭିଲ ବର୍ତ୍ତମାନ ଆଦିତ୍ୟ ଓମଙ୍କ ଚଳଚ୍ଚିତ୍ର ସନ୍ଥ ତୁକାରାମରେ ପ୍ରଭୁ ବିଟ୍ଠଲଙ୍କ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ତାଙ୍କ ସହ ମୁଖ୍ୟ ଭୂମିକାରେ ମରାଠୀ ଚଳଚ୍ଚିତ୍ର ଅଭିନେତା ସୁବୋଧ ନଜର ଆସିବେ। ସେ ସନ୍ଥ ତୁକାରାମଙ୍କ ଚରିତ୍ରରେ ଅଭିନୟ କରିବେ।

ଅରୁଣ ଗୋଭିଲ ତାଙ୍କ ଭୂମିକା ବିଷୟରେ ଜଣାଇ କହିଛନ୍ତି ଯେ, ମୁଁ ଏଥିରେ ସ୍ବତନ୍ତ୍ର ଭୂମିକାରେ ନଜର ଆସିବି। ମୁଁ ଏହି ଚରିତ୍ରରେ ଅଭିନୟ କରେ ବୋଲି ନିର୍ଦ୍ଦେଶକ ଚାହୁଁଥିଲେ। ଅନେକ ଲୋକ ପୌରାଣିକ ଚଳଚ୍ଚିତ୍ର ନେଇ ମୋ ପାଖକୁ ଆସନ୍ତି। ହେଲେ ମୁଁ ସେମାନଙ୍କୁ ହଁ କହେ ନାହିଁ। କିନ୍ତୁ ମୁଁ ସନ୍ଥ ତୁକାରାମଙ୍କ ପାଇଁ ଏହା କରୁଛି।