‘ଦଙ୍ଗଲ’ ଗାର୍ଲ ସୁହାନୀଙ୍କ ଦେହାନ୍ତ
ଆମୀର ଖାନ୍ଙ୍କ ଚଳଚ୍ଚିତ୍ର ‘ଦଙ୍ଗଲ’ରେ ବବିତା ଫୋଗଟ୍ଙ୍କ ପିଲା ବେଳ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ସୁହାନୀ ଭଟନଗରଙ୍କ ୧୯ ବର୍ଷ ବୟସରେ ଦେହାନ୍ତ ହୋଇଛି । ଲୋକେ ସୁହାନୀଙ୍କ ଦଙ୍ଗଲ୍ ଗାର୍ଲ ଭାବେ ଜାଣନ୍ତି। ଏହି ଖବର ଏବେ ପ୍ରଶଂସକଙ୍କୁ ଚକିତ କରି ଦେଇଛି । ‘ଦଙ୍ଗଲ’ରେ ଆମୀରଙ୍କ ସାନ ଝିଅ ବବିତାଙ୍କ ଭୂମିକା ନିଭାଇଥିଲେ ସୁହାନୀ। କିଛି ଦିନ ପୂର୍ବରୁ ସୁହାନୀଙ୍କର ଏକ ଦୁର୍ଘଟଣା ଘଟିଥିଲା, ଯେଉଁଥିପାଇଁ ତାଙ୍କ ଗୋଡ ଭାଙ୍ଗି ଯାଇଥିଲା । ସେଥିପାଇଁ ସେ ସମୟରେ ଚିକିତ୍ସା ପାଇଁ ବ୍ୟବହୃତ ହୋଇଥିବା ଔଷଧଗୁଡ଼ିକ ତାଙ୍କ ଉପରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଇଥିଲା। ଯାହାଫଳରେ ଧୀରେ ଧୀରେ ତାଙ୍କ ଶରୀରରେ ତରଳ ପଦାର୍ଥ ଜମା ହେବାରେ ଲାଗିଲା। ତାଙ୍କୁ ଦୀର୍ଘ ଦିନ ଧରି ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶେଷରେ ସେ ସମସ୍ତଙ୍କୁ ଛାଡ଼ି ଆରପାରିକୁ ଚାଲି ଯାଇଛନ୍ତି । ଆଜି ସୁହାନୀଙ୍କର ଶେଷ ରୀତି ଫରିଦାବାଦର ସେକ୍ଟର -୧୫ ର ଅଜୌରନ୍ଦା ଶ୍ମଶାନରେ କରାଯିବ। ସୁହାନୀ ଭଟନଗର ବଲିଉଡର ଜଣେ ପ୍ରସିଦ୍ଧ ଶିଶୁ କଳାକାର ଥିଲେ। ‘ଦଙ୍ଗଲ’ ଚଳଚ୍ଚିତ୍ରରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା। ସେ ଅନେକ ଟେଲିଭିଜନ ବିଜ୍ଞାପନରେ ମଧ୍ୟ କାମ କରିଥିଲେ। ‘ଦଙ୍ଗଲ’ ପରେ ସୁହାନୀ ଅନେକ ଚଳଚ୍ଚିତ୍ର ପାଇଁ ଅଫର ପାଇଥିଲେ, କିନ୍ତୁ ସେ ଅଭିନୟରୁ ବିରତି ନେବାକୁ ନିଷ୍ପତ୍ତି ନେଇଥିଲେ। ସେ ନିଜ ଅଧ୍ୟୟନରେ ଧ୍ୟାନ ଦେବାକୁ ଚାହୁଁଥିଲେ। ଅନେକ ସାକ୍ଷାତକାରରେ ସୁହାନୀ କହିଥିଲେ ଯେ ଅଧ୍ୟୟନ ଶେଷ କରିବା ପରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଫେରିବାକୁ ଯୋଜନା କରିଛନ୍ତି।