ଅଫେରା ରାଇଜରେ ଅଭିନେତା ଅଖିଲ ମିଶ୍ରା

ଚେୟାରରୁ ପଡ଼ି ଚାଲିଗଲା ଅଖିଲ ମିଶ୍ରାଙ୍କ ଜୀବନ

ବଲିଉଡ ଦୁନିଆ ପାଇଁ ଦୁଃଖଦ ଖବର । ବ୍ଲକ୍ ବଷ୍ଟର ଫିଲ୍ମ ୩ ଇଡିୟଟ୍‌ରେ ଅଭିନୟ କରିଥିବା ଅଖିଲ ମିଶ୍ରାଙ୍କ ପରଲୋକ । ଚେୟାରରୁ ପଡ଼ି ତାଙ୍କର ମୃତ୍ୟୁ ଘଟିଛି । ଅଖିଲଙ୍କ ମୃତ୍ୟୁ ନେଇ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ସୁଜାନେ ବେରନେର୍ଟ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ୬୭ ବର୍ଷୀୟ ଅଖିଲ ମିଶ୍ରା ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ରହୁଥିଲେ । ତାଙ୍କର ଉଚ୍ଚ ରକ୍ତ ଚାପ ଜନିତ ସମସ୍ୟା ଥିଲା । ସନ୍ଧ୍ୟାରେ ସେ ରୋଷେଇ ଘରକୁ ଯାଇଥିବା ବେଳେ ସେଠାରେ ଚେୟାରରେ ଛିଡ଼ା ହୋଇ କିଛି କାମ କରୁଥିବା ବେଳେ ହଠାତ୍‌ ତଳେ କଚାଡ଼ି ହୋଇ ପଡ଼ି ଯାଇଥିଲେ । ଫଳରେ ତାଙ୍କ ମୁଣ୍ଡ ଓ ପିଠିରେ ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ପରିବାରର କିଛି ସଦସ୍ୟ ଓ ପଡ଼ୋଶୀ ହସ୍ପିଟାଲ ନେଇଥିଲେ । ହସ୍ପିଟାଲ ଯିବା ବାଟରେ ମଧ୍ୟ ତାଙ୍କର ଚେତା ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ଇଣ୍ଟରନାଲ ହାମରେଜ ଆରମ୍ଭ ହୋଇ ଯାଇଥିଲା । ଡାକ୍ତରୀ ଟିମ ତାଙ୍କୁ ସୁସ୍ଥ କରିବା ପାଇଁ ସବୁ ପ୍ରକାରର ଚେଷ୍ଟା କରିଥିଲେ ହେଁ ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଘଟଣା ବେଳେ ଅଖିଲଙ୍କ ପତ୍ନୀ ସୁଜାନେ ଶୁଟିଂ ପାଇଁ ହାଇଦ୍ରାବାଦରେ ଥିଲେ । ଅଖିଲ ବିଭିନ୍ନ ସିନେମା ସହ ଟିଭି ସିରିଏଲରେ ମଧ୍ୟ ଅଭିନୟ କରିଥିଲେ। ୩ ଇଡିୟଟ୍‌ରେ ସେ ଇବ୍ରାହିମ ଦୁବେ ଚରିତ୍ରରେ ନଜର ଆସିଥିଲା। ଏହାସହ ଡନ, ଗାନ୍ଧି, ମାଇଁ ଫାଦର, ଉତ୍ତରନ, ଉଡ଼ାନ ଓ ଶ୍ରୀମାନ ଶ୍ରୀମତି ଭଳି ସିନେମା ଏବଂ ସିରିଏଲରେ ଦମଦାର ଅଭିନୟ କରିଥିଲେ । ତାଙ୍କ ବିୟୋଗରେ ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ ଶୋକ ପ୍ରକାଶ କରିଛନ୍ତି ।