ଅପରାଧୀକୁ ଧରିବାକୁ ଯାଇ ହାତୁଡିରେ ଛେଚା ଖାଇଲା ପୋଲିସ
ମୋଷ୍ଟ ଓ୍ବାଣ୍ଟେଡ୍ ଅପରାଧୀକୁ ଧରିବାକୁ ଯାଇ ଛେଚା ଖାଇଲା ପୋଲିସ । ବଟି ଆଦାୟ, ମରଣାନ୍ତକ ଆକ୍ରମଣ, ଡକାୟତି, ଅସ୍ତ୍ରଶସ୍ତ୍ର କାରବାର, ହତ୍ୟା ଉଦ୍ୟମ ଭଳି ଅପରାଧରେ ସଂପୃକ୍ତ ମୋଷ୍ଟ ୱାଂଟେଡ ହାପିକୁ ଧରିବାକୁ ଯାଇ ମାଡ ଖାଇଲା ପୋଲିସ । ଭୁବନେଶ୍ୱର ଶିଶୁପାଳଗଡର ହାପି ଓରଫ ସତ୍ୟପ୍ରକାଶ ଓ ତାର ଗ୍ୟାଙ୍ଗ ଏକ ପରିତ୍ୟକ୍ତ ଘରେ ଲୁଚି ଡକାୟତି ଯୋଜନା କରୁଥିଲେ । ଖବର ପାଇ ବଡଗଡ ଓ ଧଉଳି ଥାନାର ଅଫିସରମାନେ ମିଳିତ ଭାବେ ଚଢାଉ କରିଥିଲେ । ପୋଲିସକୁ ଦେଖିବା ମାତ୍ରେ ହାତରେ ହାତୁଡି ଧରି ସବ-ଇନ୍ସପେକ୍ଟର ସନ୍ତୋଷ ବଳଙ୍କ ମୁଣ୍ଡକୁ ଆକ୍ରମଣ କରିବା ସହ ହାତରେ ମାରଣାସ୍ତ୍ର ଧରି ଅନ୍ୟ ପୋଲିସ କର୍ମଚାରୀକୁ ହାଣିବା ପାଇଁ ଗୋଡାଇଥିଲେ ଦୁର୍ବୃତ । ଡକାୟତ-ପୋଲିସର ଗୋଡାଗୋଡି ଭିତରେ ୪ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ହାପି ପୋଲିସକୁ କାମୁଡି ଫେରାର ହୋଇଯାଇଥିବା କୁହାଯାଉଛି । ତେବେ ଏହି ମାମଲାରେ ଗିରଫ ୪ଜଣ ଅଭିଯୁକ୍ତଙ୍କ ବିରୋଧରେ ଲାଗିଛି ସଙ୍ଗୀନ ଦଫା । ସେପଟେ ଫେରାର ଅଭିଯୁକ୍ତ ହାପିକୁ ଧରିବା ପାଇଁ ସ୍ୱତନ୍ତ୍ର ଟିମ ଗଠନ କରିଛି ପୋଲିସ ।
