ଡିସେମ୍ବରରେ କରୋନାରେ ୧୦ ହଜାର ମୃତ୍ୟୁ: ଡବ୍ଲୁଏଚଓ

ଡିସେମ୍ବରରେ କରୋନାରେ ୧୦ ହଜାର ମୃତ୍ୟୁ

ପିଛା ଛାଡୁନି କୋଭିଡ । ଏବେ ବି ଜାରି ରଖିଛି ତାଣ୍ଡବ । ଗତ ଡିସେମ୍ବରରେ ପ୍ରାୟ ୧୦ ହଜାର ଲୋକଙ୍କ ଜୀବନ ନେଇଛି ଭାଇରସ । ଏନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବିଶ୍ୱରେ ଜେଏନ.1 ଭାରିଆଣ୍ଟ ଅଧିକ ବେଗରେ ସଂକ୍ରମିତ ହେଉଥିବାରୁ ଡିସେମ୍ବରରେ ମୃତ୍ୟୁସଂଖ୍ୟା ୧୦ ହଜାର ହେଲା ବୋଲି କହିଛି ସଂଗଠନ । କୋଭିଡ ୧୯ ଏକ ଗ୍ଲୋବାଲ ହେଲଥ ଏମର୍ଜେନସି ହୋଇ ନଥିବା ସତ୍ତ୍ୱେ ନିଜର ପ୍ରଭାବ ବଳବତ୍ତର ରଖିଛି ବୋଲି କହିଛନ୍ତି ଜାତିସଂଘ ସ୍ୱାସ୍ଥ୍ୟ ସଂସ୍ଥାର ମୁଖ୍ୟ ଟେଡରସ ଅଧନମ ଘେବ୍ରେସିସ । ଗତ ଡିସେମ୍ବରରେ ହସ୍ପିଟାଲରେ ରୋଗୀ ଭର୍ତ୍ତି ହେବା ସଂଖ୍ୟା ୪୨ ପ୍ରତିଶତ ବଢିଥିଲା । ୟୁରୋପ ଓ ଆମେରିକାର ପ୍ରାୟ ୫୦ଟି ରାଷ୍ଟ୍ରରୁ ମିଳିଥିବା ତଥ୍ୟ ଅନୁସାରେ ଏହି ଆକଳନ କରାଯାଇଛି ବୋଲି ସେ କହିଛନ୍ତି । ସେପଟେ ସ୍ପେନରେ କୋଭିଡ ସଂକ୍ରମଣ ବଢୁଥିବାରୁ ସମସ୍ତ ହସ୍ପିଟାଲ ଓ ସ୍ୱାସ୍ଥ୍ୟ ସେବା ପ୍ରତିଷ୍ଠାନରେ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । ଦେଶରେ ଫ୍ଲୁ ଓ କୋଭିଡ ସଂକ୍ରମଣ ଖୁବ୍ ଅଧିକ ହେବାରେ ଲାଗିଥିବାରୁ ଏହି ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ସ୍ପେନ ସ୍ୱାସ୍ଥ୍ୟ ମନ୍ତ୍ରୀ ମୋନିକା ଗାର୍ସିଆ । ଘରୋଇ କ୍ଲିନିକ, ଫାର୍ମାସି, ଦନ୍ତ ବିଭାଗ ହସ୍ପିଟାଲ ଓ କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ମେଡିକାଲ ଫାସିଲିଟିରେ ବି ଏହି ନିୟମ ପାଳନ ହେବ ।