ଗ୍ୟାସ୍ ଦର କମିବା ପରେ ବିରୋଧୀଙ୍କ ଆଟାକ୍

କମିବ କି ପେଟ୍ରୋଲ ଓ ଡିଜେଲ ଦର ?

କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡର ପିଛା ୨୦୦ ଟଙ୍କା କମାଇବା ପରେ ତାହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ସାଧାରଣ ଖାଉଟି ଏହି ଘୋଷଣାକୁ ନେଇ ଖୁସି ଥିବାବେଳେ ବିରୋଧୀମାନେ କହୁଛନ୍ତି ଯେ ଏଲପିଜି ଦର ଆହୁରି କମିବା ଦରକାର ଥିଲା । ଅନ୍ୟ କେତେକ ବିରୋଧୀ ଦଳ କହୁଛନ୍ତି ଯେ ସରକାର ପେଟ୍ରୋଲ ଓ ଡିଜେଲ ଦର ବି କମାନ୍ତୁ । ଆରଜେଡି ନେତା ମନୋଜ ଝା ଦାବି କରିଛନ୍ତି ଯେ ସରକାର ପେଟ୍ରୋଲ-ଡିଜେଲ ଦର କମାନ୍ତୁ । ତେବେ ତେଲଦର ବି କମିବ କି ? ଏକଥା ସତ ଯେ ସରକାର ପେଟ୍ରୋଲ ଓ ଡିଜେଲ ଦର ଏବେ ବି ମହଙ୍ଗା ରହିଛି । ଏହା ଖାଉଟିଙ୍କୁ ବାଧୁଛି । ଏଣୁ ଗ୍ୟାସ ଦର କମିବା ପରେ ଲୋକମାନେ ଆଶା କରୁଛନ୍ତି ଯେ ତେଲ ଦର ବି କମୁ । ତେଲ ଦର କମିବା ସମ୍ପର୍କରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ବୟାନ ସାମନାକୁ ଆସିଛି । ଏକ ବାଣିଜ୍ୟ ଟିଭି ଚ୍ୟାନେଲକୁ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଦର ହ୍ରାସ ପାଇଁ ସେ ଉଦ୍ୟମ କରିବେ । ଏହା ସହିତ ରାଜ୍ୟ ସରକାରମାନେ ଯେପରି ତେଲ ଉପରୁ ଭାଟ୍ ହ୍ରାସ କରନ୍ତି ସେ ଦିଗରେ କେନ୍ଦ୍ର ସରକାର ଉଦ୍ୟମ କରିବେ। ସେ କହିଛନ୍ତି ଯେ ବିଜେପି ଶାସିତ ରାଜ୍ୟଗୁଡ଼ିକ ତେଲ ଉପରୁ ଭାଟ୍ କମାଇଥିଲେ ବି ଅଣ-ବିଜେପି ଶାସିତ ରାଜ୍ୟମାନେ ତାହା କରୁନାହାନ୍ତି । ଏଥିପାଇଁ ସେମାନଙ୍କୁ କେନ୍ଦ୍ର ସରକାର ପ୍ରବର୍ତ୍ତାଇବେ ବୋଲି ସେ କହିଛନ୍ତି ।