ନଡ୍ଡାଙ୍କ ପରେ କିଏ ଧରିବେ ଦଳର ମଙ୍ଗ
କିଏ ହେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ନଡ୍ଡାଙ୍କ ପରେ କିଏ ଧରିବେ ଦଳର ମଙ୍ଗ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କେନ୍ଦ୍ର କ୍ୟାବିନେଟରେ ସାମିଲ ହେବା ପରେ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ଲାଗିରହିଛି । ନଡ୍ଡା ଅଧ୍ୟକ୍ଷ ପଦ ଛାଡିବାର ସମ୍ଭାବନା ରହିଥିବାରୁ ତାଙ୍କ ସ୍ଥାନରେ କାହାକୁ ଦଳର ଅଧ୍ୟକ୍ଷ କରାଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ନଡ୍ଡା ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଥିଲେ । ଅମିତ ଶାହ ଦଳର ଅଧ୍ୟକ୍ଷ ପଦ ଛାଡିବା ପରେ ୨୦୨୦ ଜାନୁଆରୀରେ ନଡ୍ଡା ଦାୟିତ୍ୱ ଗ୍ରହଣ କରିଥିଲେ । ଦଳର ନୀତି ଅନୁସାରେ ଜଣେ ବ୍ୟକ୍ତି ଗୋଟିଏ ପଦ ଆଧାରରେ ନଡ୍ଡାଙ୍କୁ ଅଧ୍ୟକ୍ଷ ପଦ ଛାଡିବାକୁ ପଡିବ । ତେବେ କିଏ ନେବ ତାଙ୍କ ସ୍ଥାନ ତାକୁ ନେଇ ନେତା ଖୋଜା ଆରମ୍ଭ ହୋଇଛି ।
ପୂର୍ବରୁ ଅମିତ ଶାହ ଏହି ପଦବିକୁ ଫେରିବେ ବୋଲି ଚର୍ଚ୍ଚା ହେଉଥିଲା । ଧର୍ମେନ୍ଦ୍ର ପ୍ରଧାନ ଓ ଶିବରାଜ ସିଂ ଚୌହାନଙ୍କ ନାମ ମଧ୍ୟ ଆଲୋଚନାକୁ ଆସିଥିଲା । କିନ୍ତୁ ସେମାନେ କେନ୍ଦ୍ରରେ ମନ୍ତ୍ରୀ ହୋଇସାରିଥିବାରୁ ଦଳର ଅନ୍ୟ କୌଣସି ନେତାଙ୍କୁ ଅଧ୍ୟକ୍ଷ କରାଯିବା ସମ୍ବାବନା ରହିଛି । ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ଦଳର ସାଧାରଣ ସମ୍ପାଦକ ବିନୋଦ ତାୱଡେ, ତେଲେଙ୍ଗାନା ବିଜେପି ଓବିସି ମୋର୍ଚ୍ଚା ମୁଖ୍ୟ କେ.ଲକ୍ଷ୍ମଣଙ୍କ ନାଁ ଚର୍ଚ୍ଚାରେ ରହିଛି ।
ସେହିପରି ଓଡ଼ିଶା, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ପାଇଁ ଦଳୀୟ ପ୍ରଭାରୀ ରହିଥିବା ସୁନୀଲ ବଂଶଲ, ରାଜସ୍ଥାନର ରାଜ୍ୟସଭା ସଦସ୍ୟ ଓମ ମାଥୁର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନୁରାଗ ସିଂ ଠାକୁରଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।