କେଉଁଠି ଭସାଇଲାଣି ତ ଆଉ କେଉଁଠି କନ୍ଦାଇଲାଣି !

ଜଳ ବହୁଳେ ସୃଷ୍ଟି ନାଶ, ଜଳ ବିହୁନେ ସୃଷ୍ଟି ନାଶ। ଏ ଉକ୍ତିଟି ଆମେ ଏଥିପାଇଁ କହୁଛୁ କାହିଁକି ନା ଆଜି ଏଭଳି ପରିସ୍ଥିତିକୁ ଆମେ ସାମ୍ନା କରୁଛୁ। କେଉଁଠି ବୁଷ୍ଟିପାତର ମାତ୍ରା ଏତେ ବହିଯାଇଛି ଯେ ଦେଖିବାକୁ ମିଳିଛି ଜଳପ୍ରଳୟ । ଆଉ କେଉଁଠି ନିଅଣ୍ଟିଆ ବର୍ଷା ଦେଇଛି ଚାଷୀ ଆଖିରେ ଲୁହ। ଉତ୍ତର ଭାରତରେ ଦେଖିବାକୁ ମିଳିଛି ବନ୍ୟା ପରିସ୍ଥିତି। ପାଣି ଭିତରେ ବନ୍ଦୀ ହୋଇ ରହିଛି ଜନଜୀବନ । ଦିଲ୍ଲୀ, ହିମାଚଳ ପ୍ରଦେଶ, ପଞ୍ଜାବରେ ପ୍ରବଳ ବର୍ଷା । ଦିଲ୍ଲୀରେ ୪୧ ବର୍ଷର ରେକର୍ଡ ଭାଙ୍ଗିଲା ଏଥରର ବର୍ଷା । ପ୍ରବଳ ବର୍ଷା ଯୋଗୁଁ ଜାମ୍ମୁ କାଶ୍ମୀର, ହିମାଚଳ ଓ ୟୁପିରେ ନଦୀର ଜଳସ୍ତର ବଢିବାରେ ଲାଗିଛି ।

ଏହି ସବୁ ରାଜ୍ୟରେ ୧୩ରୁ ଅଧିକ ଲୋକଙ୍କ ବନ୍ୟା ପାଣିରେ ଭାସିଯାଇ ମୃତ୍ୟୁ ହୋଇଛି । ହିମାଚଳ ପ୍ରଦେଶରେ ସବୁଠୁ ଅଧିକ କ୍ଷତି ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ବ୍ୟାସ ନଦୀର ଜଳସ୍ତର ବଢିବା ସହ ଜନବସତି ଆଡକୁ ମାଡି ଆସିଛି ବନ୍ୟା ଜଳ । ଲୋକଙ୍କ ଘରେ ମଧ୍ୟ ପାଣିପଶି ଛାରଖାର ହୋଇଯାଇଛି । ଉଚ୍ଚସ୍ଥାନରେ ଥିବା ଲୋକଙ୍କ ଘର ମଧ୍ୟ ବନ୍ୟା ଜଳରୁ ସୁରକ୍ଷିତ ନାହାନ୍ତି । ଘରୁ ବାହାରିବାକୁ ହେଲେ ପହଁରି ପହଁରି ଯିବାକୁ ପଡୁଛି । ବନ୍ୟାପାଣି ପ୍ରଖର ଗତିରେ ମାଡିବା ଯୋଗୁଁ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥର ଏକ ଅଂଶ ଧୋଇ ହୋଇଯାଇଛି ।

ସେପଟେ ପୂର୍ବଭାରତର କଥା କିନ୍ତୁ ଠିକ ବିପରୀତ , ନିଆଣ୍ଟିଆ ବର୍ଷା ଚାଷୀଙ୍କ ନିଦ ହଜାଇ ଦେଇଛି । ଚାଷ ଜମି ଫାଟି ଆଁ କଲାଣି । ତଳି ସବୁ ଜଳି ମରିବାକୁ ବସିଲାଣି । ମୌସୁମୀ ବର୍ଷାର ଲୁଚକାଳି ଚାଷୀକୁ ଅସ୍ତବ୍ୟସ୍ତ କଲାଣି। ନିଅଣ୍ଟିଆ ବର୍ଷା ଯୋଗୁ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକରେ ବି ଗଜା ମରୁଡି ସ୍ଥିତି ସୃଷ୍ଟି ହୋଇଛି । ଯେଉଁ ଚାଷ ଜମିରେ ସୁନାର ଫସଲ ଖେଳିବା କଥା ସେହି ଚାଷ ଜମି ଏବେ ଗୋରୁ ଗାଇଙ୍କ ଚରାଭୂଇଁ ପାଲଟିଛି । ସେଥିପାଇଁ ଆମେ କହିଥିଲୁ କି ଜଳ ବହୁଳେ ସୃଷ୍ଟି ନାଶ , ଜଳ ବିହୁନେ ସୃଷ୍ଟି ନାଶ ।