କାହିଁକି ପଶିଥିଲେ ସଂସଦ ଭିତରେ କାରଣ କହିଲେ ଅଭିଯୁକ୍ତ

କାହିଁକି ପଶିଥିଲେ ସଂସଦ ଭିତରେ କାରଣ କହିଲେ ଅଭିଯୁକ୍ତ

ସଂସଦରେ ସୁରକ୍ଷା ତ୍ରୁଟିକୁ ନେଇ ନେଇ ସାରା ଦେଶରେ ତୁମ୍ବି ତୋଫାନ ଲାଗି ରହିଛି। ଘଟଣାକୁ ନେଇ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ବିଶେଷ କରି ଠିକ୍‌ ଡିସେମ୍ବର ୧୩ ୨୦୦୧ରେ ଘଟିଥିବା ସମାନ ଘଟଣା ପୁଣି ସମାନ ଦିନରେ ଘଟିବା ଆଉ ସେ ବି ନୂଆ ସଂସଦ ଭବନରେ ତାହା ସମସ୍ତଙ୍କୁ ତାଜୁବ କରିଛି। କଡା ସୁରକ୍ଷା ଭିତରେ ସଂସଦ ଗୃହ ଚାଲୁଥିବାବେଳେ ଏପରି ସୁରକ୍ଷା ତ୍ରୁଟି କିପରି ହେଲା ଏନେଇ ଦିଲ୍ଲୀ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆତଙ୍କବାଦ ବିରୋଧୀ ଅପରେଶନରେ ଜଡିତ ଦିଲ୍ଲୀ ପୋଲିସର ସ୍ପେଶାଲ ଟିମ୍‌ ସଂସଦ ସୁରକ୍ଷା ତ୍ରୁଟି ଘଟଣାର ତଦନ୍ତ ଚଳାଇଛି । ଘଟଣାରେ ଜଡିତ ଥିବା ମୋଟ ୬ ଅଭିଯୁକ୍ତଙ୍କ ମଧ୍ୟରୁ ୫ଜଣଙ୍କୁ ପୋଲିସ ଗିରଫ କରି ସାରିଥିବାବେଳେ ୬ଷ୍ଠ ଅଭିଯୁକ୍ତର ପୋଲିସ ଏପର୍ଯ୍ୟନ୍ତ ଟେର ପାଉନାହିଁ। ତେବେ ଦିଲ୍ଲୀ ପୋଲିସ ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଇ ପଚରାଉଚରା କରୁଛି । ଯେଉଁଥିରେ ଚମକାଇଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି। ପଚରାଉଚରା ସମୟରେ ଜଣାପଡିଛି ଯେ, ଏହି ୬ଜଣ ଅଭିଯୁକ୍ତ ଗତ ୪ବର୍ଷ ହେଲା ସଂସଦରେ ଆକ୍ରମଣ ନେଇ ଯୋଜନା ପ୍ରସ୍ତୁତ କରୁଥିଲେ। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ସେମାନେ ପରସ୍ପରକୁ ଶାରୀରିକ ଭାବେ ନ ଭେଟି ମଧ୍ୟ ସୋସିଆଲ ମିଡିଆ ଯୋଗେ ଯୋଗାଯୋଗ ରଖୁଥିଲେ। ଆକ୍ରମଣ କରିବାର କିଛିଦିନ ପୂର୍ବରୁ ସେମାନେ ସଂସଦ ଭବନ ଚାରିପାଖେ ବୁଲିବା ସହ ସଂସଦର ଗତିବିଧି ଉପରେ ନଜର ରଖୁଥିଲେ। ଯାହାର କୌଣସି ତଥ୍ୟ ଗୁଇନ୍ଦା ବିଭାଗ ହାତକୁ ଲାଗିପାରି ନ ଥିଲା। ତଦନ୍ତ ବେଳେ ଜଣାପଡିଛି କି, ସେମାନେ ବିଭିନ୍ନ ସମସ୍ୟା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଥିଲେ। ସେମାନଙ୍କ ମଧ୍ୟରୁ ୪ଜଣ ବେରୋଜଗାରୀ, କୃଷକଙ୍କ ସମସ୍ୟା ଓ ମଣିପୁର ହିଂସାକୁ ନେଇ ଚିନ୍ତିତ ଥିଲେ। କଲର୍‌ ସ୍ମୋକ ବ୍ୟବହାର କରି ସେମାନେ ସଂସଦରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଥିଲେ । ଯାହାଦ୍ୱାରା ଏମପିମାନେ ଏସବୁ ସମସ୍ୟାକୁ ଗମ୍ଭୀରତାର ନେଇ ଆଲୋଚନା କରିବେ। ଅଭିଯୁକ୍ତମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ପୋଲିସ ଅଭିଯୁକ୍ତଙ୍କ ଉତ୍ତରରେ ଆଶ୍ୱସ୍ତି ପ୍ରକାଶ କରିପାରି ନାହିଁ। ଅଧିକ ତଦନ୍ତ ପାଇଁ ଅଭିଯୁକ୍ତଙ୍କ ମୋବାଇଲ ଫୋନ ଯାଞ୍ଚ କରିବ ବୋଲି ପୋଲିସ କହିଛି। କିନ୍ତୁ ୫ଜଣଙ୍କ ମୋବାଇଲ ଫୋନ ଷଷ୍ଠ ଅଭିଯୁକ୍ତ ଲଳିତ ଝାଙ୍କ ପାଖରେ ରହିଛି। ଯିଏକି ଏପର୍ଯ୍ୟନ୍ତ ଫେରାର ଅଛନ୍ତି। ଲଳିତ ସବୁ ପ୍ରମାଣ ନଷ୍ଟ କରିଦେବା ପାଇଁ ମୋବାଇଲ ଫୋନ ନେଇ ଫେରାର୍‌ ଥିବା ପୋଲିସ ସନ୍ଦେହ କରୁଛି।