ବିପଦରେ ପଶ୍ଚିମବଙ୍ଗ, ଗଣତି ପରେ ଉଗ୍ର ହେଉଛି ନିର୍ବାଚନୀ ହିଂସା !

ଗତ କିଛିଦିନ ହେବ ପଶ୍ଚିମବଙ୍ଗରେ ଲାଗିରହିଛି ନିର୍ବାଚନୀ ହିଂସା । ଆଉ ଏହି ହିଂସା ଧୀରେଧୀରେ ଉଗ୍ର ହେଉଥିବା ଦେଖିବାକୁ ମିଳିଛି। ଭୋଟ ସମୟରେ ପୋଡାଜଳା ମାରପିଟ ଦେଖିବାକୁ ମିଳିଥିବା ବେଳେ ଗୁଳିମାଡ ହୋଇଥିବା ଦେଖିବାକୁ ମିଳିଥିଲା । ଏମିତିକି ନିର୍ବାଚନ ପାଇଁ ପଶ୍ଚିମବଙ୍ଗରେ ବହିଛି ରକ୍ତର ନଦୀ । ମତଦାନ ସମୟରେ ହିଂସା ଯେତିକି ଥିଲା ଭୋଟ ଗଣତି ପରେ ଏହା ଦ୍ଵିଗୁଣିତ ହୋଇଛି । ପରିସ୍ଥିତି ଏତେ ଖରାପ ହୋଇଛି ଯେ, ଉପଦ୍ରବକାରୀଙ୍କ ଶିକାର ହୋଇଛନ୍ତି ଖୋଦ୍ ଆଡିସନାଲ ଏସପି । ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ପରେ ୨୪ ପ୍ରଗଣାରେ ପରିସ୍ଥିତି ଅଣାୟତ୍ତ ହୋଇଛି । ଏଠାରେ ହିଂସାରେ ଇଣ୍ଡିଆନ୍ ସେକ୍ୟୁଲାର ଫ୍ରଣ୍ଟର ଜଣେ କର୍ମୀଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । କେବଳ ଏତିକି ନୁହେଁ , ପୁରା ଅଞ୍ଚଳ ବୋମା ମାଡ ଓ ଗୁଳିମାଡରେ ଥରିଥିଲା । ଏପରିକି ଆଡିସନାଲ ଏସପିଙ୍କୁ ଗୁଳିମାଡ ହୋଇଛି । ଆହତ ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।ନିର୍ବାଚନ ପରେ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହୋଇଛି ମୁର୍ଶିଦାବାଦ, କୁଚବିହାର, ଉତ୍ତର ଓ ଦକ୍ଷିଣ ୨୪ ପ୍ରଗଣା । ଏଠାରେ ମତଦାନ ସମୟରେ ବୁଥମାନଙ୍କରେ ଉପଦ୍ରବକାରୀମାନେ ପଶି ବାଲାଟବକ୍ସ ଉଠାଇନେଇଥିବା ଦେଖିବାକୁ ମିଳିଥିଲା । ଏହାପରେ ସାନି ମତଦାନ ହୋଇଥିଲା । କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହେବା ସତ୍ୱେ ୪୫ ଜଣଙ୍କର ହତ୍ୟା ହୋଇଛି । ତେଣୁ ଏବେ ପଶ୍ଚିମବଙ୍ଗର ସ୍ଥିତି ପୁରା ଅଣାୟତ ହୋଇଥିବା ଦେଖିବାକୁ ମିଳିଛି।