କେନ୍ଦ୍ର ସରକାର ଓ ଗୁଜରାଟର ବିଜେପି ସରକାର ଉପରେ ବର୍ଷିଲେ ରାହୁଲ ଗାନ୍ଧୀ

ଅହଂକାରୀ ବିଜେପି ସରକାର ଉପରେ ନ୍ୟାୟର ବିଜୟ: ରାହୁଲ ଗାନ୍ଧୀ

ବିଲକିସ୍ ବାନୋ ବଳତ୍କାର ମାମଲାରେ ଜେଲରୁ ମୁକୁଳିଥିବା ୧୧ ଅପରାଧୀଙ୍କୁ ପୁଣି ଜେଲ ଯିବାକୁ ପଡିବ । ଏନେଇ ସୁପ୍ରିମକୋର୍ଟ ସୋମବାର ଦିନ ରାୟ ଶୁଣାଇଛନ୍ତି । ଏହି ରାୟ ଆସିବା ପରେ ବିଲକିସ୍ ବାନୋଙ୍କ ପରିବାରରେ ଖୁସିର ମାହୋଲ । ସେପଟେ ସୁପ୍ରିମକୋର୍ଟଙ୍କ ରାୟକୁ ନେଇ କେନ୍ଦ୍ର ସରକାର ଓ ଗୁଜରାଟର ବିଜେପି ସରକାର ଉପରେ ବର୍ଷିଛନ୍ତି ବିରୋଧୀ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, ଅହଂକାରୀ ବିଜେପି ସରକାର ଉପରେ ଏହା ନ୍ୟାୟର ବିଜୟ । ଏହାସହ ଏହା ବିଲକିସ୍ ବାନୋଙ୍କ ସଂଘର୍ଷର ବିଜୟ ବୋଲି ମଧ୍ୟ ସେ କହିଛନ୍ତି । ରାହୁଲ ଗାନ୍ଧୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ୱିଟରରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ନିର୍ବାଚନ ବିଜୟର ଫାଇଦା ନେଇ ନ୍ୟାୟକୁ ହତ୍ୟା କରିବାର ପ୍ରବୃତି ଲୋକତନ୍ତ୍ର ବ୍ୟବସ୍ଥା ପାଇଁ ବିପଦ । ଆଜି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସ୍ପଷ୍ଟ କରିଛନ୍ତି କି, ଅପରାଧୀମାନଙ୍କୁ କିଏ ସୁରକ୍ଷା ଦେଉଛି, ବିଲକିସ୍ ବାନୋଙ୍କ ସଂଘର୍ଷ ଅହଂକାରୀ ବିଜେପି ସରକାର ବିରୋଧରେ ନ୍ୟାୟର ପ୍ରତୀକ ବୋଲି ସେ ଲେଖିଛନ୍ତି । ରାହୁଲ ଗାନ୍ଧୀଙ୍କ ବ୍ୟତୀତ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଏହି ରାୟ ଆସିବା ପରେ ଏକ ପୋଷ୍ଟ କରିଛନ୍ତି । ସେ ଲେଖିଛନ୍ତି, ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ବିଜେପିର ମହିଳା ବିରୋଧୀ ନୀତିକୁ ପଦାରେ ପକାଇଛି, ଏହି ରାୟ ପରେ ନ୍ୟାୟପାଳିକା ଉପରେ ସାଧାରଣ ଲୋକଙ୍କର ଅସ୍ଥା ବଢିଛି । ଏହାସହ ନିଜ ଲଢେଇ ନିଜେ ଲଢି ବିଜୟୀ ହୋଇଥିବାରୁ ସେ ବିଲକିସ୍ ବାନୋଙ୍କୁ ଧନ୍ୟବାଦ ଜଣାଇଛନ୍ତି ।