ପଶ୍ଚିମବଙ୍ଗରେ ଚାଲିଛି ପୁନଃ ମତଦାନ

କୁଚ୍‌ବେହାର୍‌ରେ ପୁଣି ହିଂସାକାଣ୍ଡ

ଆଜି ପଶ୍ଚିମବଙ୍ଗରେ ପୁନଃ ମତଦାନ ପ୍ରକ୍ରିୟା ଜାରି ରହିଛି । ୧୯ ଜିଲ୍ଲାର ୬୯୬ଟି ବୁଥ୍‌ରେ ସାନି ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ କୁଚ୍‌ବେହାର୍‌ରେ ପୁଣି ହିଂସାକାଣ୍ଡ ଘଟିଥିବା କଥା ପୋଲିସ ସୂଚନା ଦେଇଛି । କଂଗ୍ରେସ ପାର୍ଟି ଅଭିଯୋଗ କରିଛି ଯେ, ଶାସକ ‘ତୃଣମୂଳ କଂଗ୍ରେସ’ କର୍ମୀମାନେ କଂଗ୍ରେସର ଜଣେ କର୍ମୀଙ୍କ ଘର ଭାଙ୍ଗାଭଙ୍ଗି କରିଛନ୍ତି । ଅଜ୍ଞାତ ଦୁର୍ବୃତ୍ତମାନେ କଂଗ୍ରେସ ପ୍ରାର୍ଥୀ ନୂର୍‌ନହାର ବିବିଙ୍କ ଘର ଉପରକୁ ବୋମା ଫିଙ୍ଗିବା ସହିତ ଗୁଳି ଚଳାଇଥିଲେ। ପଞ୍ଚାୟତ ନିର୍ବାଚନ ନିମନ୍ତେ ରବିବାର ଦିନ ଭୋଟ୍‌ ଗ୍ରହଣ ଚାଲିଥିବା ବେଳେ କୁଚ୍‌ବିହାର ଜିଲ୍ଲାରେ ବ୍ୟାପକ ହିଂସା ଓ ହତ୍ୟାକାଣ୍ଡ ଘଟିବାରୁ ସେଠାକାର ୫୩ଟି ବୁଥ୍‌ରେ ପୁନଃ ମତଦାନ ପାଇଁ ଆଦେଶ ଦିଆଯାଇଥିଲା। ସେହିପରି, ନଦିଆର ୮୯ଟି, ଉତ୍ତର ୨୪ ପ୍ରଗଣାରେ ୪୬ଟି, ଉତ୍ତର ଦିନାଜପୁରରେ ୪୨ଟି, ଦକ୍ଷିଣ ୨୪ ପ୍ରଗଣାରେ ୩୬ଟି, ପୂର୍ବ ମେଦିନିପୁରରେ ୩୧ଟି ଓ ହୁଗୁଳିରେ ୨୯ଟି ବୁଥ୍‌ରେ ପୁନଃ ଭୋଟ୍‌ ଗ୍ରହଣ କରାଯାଉଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି। କଡ଼ା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତ ଗ୍ରହଣ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ନିର୍ବାଚନ କମିସନ୍‌ କହିଛି