ନାରୱେକରଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ

ସୁପ୍ରିମକୋର୍ଟ ଗଲେ ଉଦ୍ଧବ ଗୋଷ୍ଠୀ

ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାରୱେକରଙ୍କ ବିଧାୟକଙ୍କ ଅଯୋଗ୍ୟତା ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ନିଷ୍ପତ୍ତି ଉପରେ ଉଦ୍ଧବ ଠାକରେଙ୍କ ଦଳ ସୁପ୍ରିମକୋର୍ଟ ଯାଇଛନ୍ତି । ଜାନୁଆରୀ ୧୦ରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା ଗୋଷ୍ଠୀକୁ ପ୍ରକୃତ ରାଜନୈତିକ ଦଳର ମାନ୍ୟତା ଦେଇଥିଲେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାରୱେକର। ଏଥିସହ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ଶିବସେନା ୟୁବିଟି ପକ୍ଷରୁ ଦାବି ହୋଇଥିବା ୧୬ ବିଦ୍ରୋହୀ ବିଧାୟକଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବାକୁ ମନା କରିଦେଇଥିଲେ। ବାଚସ୍ପତି ନାରୱେକର ଶିନ୍ଦେ ଏବଂ ବିରୋଧୀ ଉଦ୍ଧବ ଗୋଷ୍ଠୀ ପକ୍ଷରୁ ପରସ୍ପର ବିରୋଧରେ ଆଗତ ଅଯୋଗ୍ୟ ଆବେଦନଗୁଡ଼ିକ ଉପରେ ନିଜ ରାୟ ଶୁଣାଇଛନ୍ତି। ସେ କହିଛନ୍ତି, ୨୦୨୨ ଜୁନ୍‌ରେ ଗଠନ ହୋଇଥିବା ଶିବସେନା ହିଁ ପ୍ରକୃତ ଶିବସେନା। ୨୦୨୨ ଜୁନ୍‌ ୨୧ରେ ଶିବସେନା ୟୁବିଟିର ସୁନୀଲ ପ୍ରଭୁ ସଚେତକ ପଦ ହରାଇସାରିଥିଲେ ଏବଂ ଶିନ୍ଦେ ଗୋଷ୍ଠୀର ଭରତ ଗୋଗାଓ୍ବାଲେ କ୍ଷମତାପ୍ରାପ୍ତ ହୁଇପ୍‌ ହୋଇଥିଲେ। ତେଣୁ ଶିନ୍ଦେଙ୍କୁ ଶିବସେନା ନେତା ନିଯୁକ୍ତ କରିବା ବୈଧ ନିଷ୍ପତ୍ତି। ତାଙ୍କ ସହ ମିଶି ବିଦ୍ରୋହ କରିଥିବା ବିଧାୟକମାନଙ୍କ ସଦସ୍ୟତା ରଦ୍ଦ କରାଯାଇପାରିବ ନାହିଁ। ଶିନ୍ଦେଙ୍କୁ ହଟାଇବା କ୍ଷମତା ଉଦ୍ଧବଙ୍କର ନ ଥିଲା।