ଜାମ୍ମୁ-କାଶ୍ମୀରରେ ବଡ ଧରଣର ଆତଙ୍କୀ ହାମଲା

ଅନନ୍ତନାଗରେ ଏନକାଉଣ୍ଟର, ୩ ବରିଷ୍ଠ ସୁରକ୍ଷାକର୍ମୀ ସହିଦ୍

ଜମ୍ମୁ-କଶ୍ମୀରର ଅନନ୍ତନାଗରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ବଡ଼ ଧରଣର ଗୁଳିବିନିମୟ । ଏଥିରେ ଭାରତୀୟ ସେନାର ଜଣେ କର୍ଣ୍ଣେଲ, ଜଣେ ମେଜର ଓ ଜମ୍ମୁ-କଶ୍ମୀର ପୁଲିସ୍‌ର ଜଣେ ଡିଏସ୍‌ପି ସହିଦ ହୋଇଛନ୍ତି । ସେହିପରି ଆଉ କିଛି ଯବାନ ଓ ପୁଲିସ୍‌ କର୍ମୀ ମଧ୍ୟ ଆହତ ହୋଇଥିବା ସୂଚନା ରହିଛି । ଏବେ ବି ଘଟଣା ସ୍ଥଳରେ ଘମାଘୋଟ ଗୁଳି ବିନିମୟ ଜାରି ରହିଛି । ଅନନ୍ତନାଗର କୋକେରନାଗ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ଥିବା ଖବର ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା। ସେନା ଓ ପୁଲିସ୍‌ ପକ୍ଷରୁ ମିଳିତ ଭାବେ ଏହି ଅପରେସନ କରାଯାଇଥିଲା। ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା । ଏ‌ଥିରେ ଆର୍ମିର ରାଜସ୍ଥାନ ରାଇଫଲ୍ସ ୟୁନିଟର କମାଣ୍ଡିଂ ଅଫିସର(କର୍ଣ୍ଣେଲ) ମନପ୍ରୀତ ସିଂହ, କମ୍ପାନୀ କମାଣ୍ଡର(ମେଜର) ଆଶିଷ ଧୋନଚାକ ଓ ଜମ୍ମୁ-କଶ୍ମୀର ପୁଲିସ୍‌ର ଡିଏସ୍‌ପି ହ୍ୟୁମାନ୍ୟୁ ସହିଦ ହୋଇଛନ୍ତି। ଏବେ ବି ସର୍ଚ୍ଚ ଅପରେସନ ସହ ଗୁଳି ବିନିମୟ ଜାରି ରହିଛି। ଘଟଣା ସ୍ଥଳରୁ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି। ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଘାଇ, ଆର୍ମିର ୧୫ କ୍ରପ୍ସ କମାଣ୍ଡର ଓ ଜମ୍ମୁ-କଶ୍ମୀର ପୁଲିସ୍‌ର ଡିଜି ଦିଲବାଗ ସିଂହଙ୍କ ବହୁ ବରିଷ୍ଠ ଅଧିକାରୀ ଏନକାଉଣ୍ଟର ସ୍ଥଳରକୁ ଯାଇଛନ୍ତି। ଘଟଣା ସ୍ଥଳରୁ ୩ ବରିଷ୍ଠ ସୁରକ୍ଷାକର୍ମୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଏହି ଏନକାଉଣ୍ଟରର ୨୪ ଘଣ୍ଟା ପୂର୍ବରୁ ଜମ୍ମୁ-କଶ୍ମୀର ରଜୌରୀ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ସୁରକ୍ଷାକର୍ମୀ ଆହତ ହୋଇଥିଲେ। ଏଥିରେ ୨ ଜଣ ଆତଙ୍କବାଦୀ ମଦ୍ୟ ନିହତ ହୋଇଥିଲେ।