ବଜେଟରେ ମହିଳାଙ୍କୁ ଫୋକସ

୩ କୋଟି ମହିଳା ହେବେ ଲକ୍ଷପତି ଦିଦି, କୋଟିଏ ଘରକୁ ମାଗଣା ବିଜୁଳି

ବଜେଟରେ ମହିଳାଙ୍କୁ ଫୋକସ। ଆଗାମୀ ୫ ବର୍ଷରେ ଦେଶରେ ୩ କୋଟି ମହିଳାଙ୍କୁ ଲକ୍ଷପତି ଦିଦି କରାଯିବ ବୋଲି ଘୋଷଣା କରିଛନ୍ତି ସୀତାରମଣ । ୨୦୨୩ ସ୍ୱାଧୀନତା ଦିବସ ଅବସରରେ ଏହି ଯୋଜନା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ, ଯେଉଁଥିରେ ଦେଶର ୨ କୋଟି ମହିଳାଙ୍କୁ ଲକ୍ଷପତି ଦିିଦି ବନାଯିବାକୁ ଘୋଷଣା କରିଥିଲେ । ଆଜି ଅର୍ଥମନ୍ତ୍ରୀ ଏହି ଲକ୍ଷ୍ୟକୁ ୩ କୋଟି କରିଛନ୍ତି । ଲକ୍ଷପତି ଦିଦି ଯୋଜନାର ଉଦ୍ଦେଶ୍ୟ ହେଉଛି , ଦାରିଦ୍ର୍ୟ ଦୂରୀକରଣ ଏବଂ ଅର୍ଥନୈତିକ ସଶକ୍ତୀକରଣ । ଏହି ଯୋଜନା ଅଧୀନରେ ମହିଳାମାନଙ୍କୁ ଦକ୍ଷତା ପ୍ରଶିକ୍ଷଣ ପ୍ରଦାନ କରାଯିବ ଯାହା ଦ୍ୱାରା ସେମାନେ ବାର୍ଷିକ ୧ ଲକ୍ଷ ଟଙ୍କାରୁ ଅଧିକ ରୋଜଗାର କରିପାରିବେ । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଜରିଆରେ ଏହି ଯୋଜନା କାର୍ୟ୍ୟକାରୀ କରାଯିବ । ଲକ୍ଷପତି ଦିଦି ଲକ୍ଷ୍ୟ ପୂରଣ ପାଇଁ ମହିଳାମାନଙ୍କୁ ଅନେକ ପ୍ରକାର ପ୍ରଶିକ୍ଷଣ ଦିଆଯିବ ।

ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି)ଙ୍କୁ ଡ୍ରୋନ୍ ଯୋଗାଇ ଦିଆଯିବ ଏବଂ ସେମାନଙ୍କୁ ଡ୍ରୋନ୍ ପରିଚାଳନା ଓ ମରାମତି ପାଇଁ ପ୍ରଶିକ୍ଷଣ ଦିଆଯିବ ବୋଲି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଗତବର୍ଷ ନଭେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟ୍ କମିଟି ଲକ୍ଷପତି ଦିଦି ଯୋଜନାରେ ୧୨୬୧ କୋଟି ଟଙ୍କା ଖର୍ଚ୍ଚ କରି ୧୫ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଡ୍ରୋନ୍ ଯୋଗାଇଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ୨୦୨୪-୨୫ ଓ ୨୫-୨୬ ଆର୍ଥିକ ବର୍ଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୪,୫୦୦ ଡ୍ରୋନ୍ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ନିର୍ମଳା ଆହୁରି କହିଛନ୍ତି ଯେ, ୮୩ ଲକ୍ଷ ଏସ୍‌ଏଚ୍‌ଜିରେ ଏବେ ୯କୋଟି ମହିଳା ସାମିଲ ଅଛନ୍ତି। ଏଯାବତ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି। ବଜେଟ୍‌ ୨୦୨୪ରେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ। କହିଛନ୍ତି, ୧ କୋଟି ଘରକୁ ୩ ଶହ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ। ଏହାଛଡ଼ା ୫ ବର୍ଷରେ ଗରିବଙ୍କୁ ଆଉ ୨କୋଟି ପକ୍କା ଘର ଯୋଗାଇ ଦିଆଯିବ।