ତାଜ୍ ହୋଟେଲକୁ ଉଡାଇବାକୁ ଧମକ !

୨ପାକିସ୍ତାନୀଙ୍କ ଟାର୍ଗେଟରେ ମୁମ୍ବାଇର ତାଜ୍ ହୋଟେଲ !

ପୁଣି ଥରେ ତାଜ ହୋଟେଲ ଉଡାଇଦେବାକୁ ଧମକ । ଯାହାକୁ ନେଇ ମୁମ୍ବାଇରେ ଖେଳିଯାଇଛି ଚାଞ୍ଚଲ୍ୟ। ୨୦୦୮ ନଭେମ୍ବର ୨୬ତାରିଖକୁ ଦେଶ କେବେ ବି ଭୁଲି ପାରିବନି , କାହିଁକି ନା ସେଦିନ ସାରା ଦେଶ ଦେଖିଥିଲା ତାଜ ହୋଟେଲରେ ତାଣ୍ଡବ । ଆତଙ୍କବାଦୀଙ୍କ ଆଖିବୁଝା ଗୁଳିଚାଳନାରେ ପ୍ରାଣ ହରାଇଥିଲେ ପ୍ରାୟ ୧୬୫ରୁ ଊର୍ଦ୍ଧ୍ଵ ଲୋକେ ଆଉ ପାଖାପାଖି ୩ଶହରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ଘଟଣା ସେତେବେଳେ ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ ପୁଣି ଥରେ ଏହି ତାଜ୍ ହୋଟେଲକୁ ୨ ଜଣ ପାକିସ୍ତାନୀ ଆକ୍ରମଣ କରି ଉଡାଇଦେବେ ବୋଲି ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ଫୋନ୍ କଲ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି । ଆଲର୍ଟ ହୋଇଛି ମୁମ୍ବାଇ ପୁଲିସ ସହ ସୁରକ୍ଷା ବଳ ।

ସୂଚନା ଅନୁସାରେ ମୁମ୍ବାଇ ପୁଲିସର କଣ୍ଟ୍ରୋଲ ରୁମକୁ ଏକ କଲ ଆସିଥିଲା । ଏଥିରେ କେହି କହିଥିଲା ଯେ, ୨ ଜଣ ପାକିସ୍ତାନୀ ସମୁଦ୍ର ପଥରେ ଆସି ମୁମ୍ବାଇରେ ପହଞ୍ଚିବା ପରେ ସବୁଠାରୁ ବଡ ହୋଟେଲ ତାଜ୍ ହୋଟେଲକୁ ବିସ୍ଫୋରଣ କରି ଉଡାଇଦେବେ । ୨୦୦୮ରେ ତାଜ୍ ହୋଟେଲ ଉପରେ ଆତଙ୍କବାଦୀ ଆକ୍ରମଣ ହେବା ପରେ କୌଣସି ଆକ୍ରମଣର ଆଶଙ୍କା ଦେଖାଗଲେ ସୁରକ୍ଷା ବଳ, ଓ ଇଣ୍ଟେଲିଜେନ୍ସ ଏଜେନ୍ସି ଆଲର୍ଟ ହୋଇଯାଉଛନ୍ତି । ଆଜି ମଧ୍ୟ ପୁରା ଇଲାକାରେ ଆଲର୍ଟ ଜାରି କରାଯାଇଛି । ତେବେ ସେହି ଦୁଇ ପାକିସ୍ତାନୀକୁ ଖୋଜି ବାହାର କରିବାକୁ ତୟାରି ଆରମ୍ଭ କରିଛି ମୁମ୍ବାଇ ପୋଲିସ ।