ଆଜି ତୃତୀୟ ପର୍ଯ୍ୟାୟ ମତଦାନ
ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ମତଦାନ। ୧୦ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୩ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେଉଛି । ମତାଧିକାର ମାଧ୍ୟମରେ ୧୩ଶହ ୫୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୧୭ କୋଟିରୁ ଅଧିକ ଭୋଟର୍ । ଏଥିପାଇଁ ୧ଲକ୍ଷ ୮୫ ହଜାର ବୁଥ୍ ହୋଇଛି । ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ତୃତୀୟ ପର୍ଯ୍ୟାୟରେ ଉତ୍ତରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଆସାମ, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ, ଗୋଆ ଏବଂ ଦାଦ୍ରା ନଗର ହାଭେଳି ଓ ଦାମନ ଡିଉ ପାଇଁ ଭୋଟ ଗ୍ରହଣ ଚାଲିଛି ।
ଗୁଜରାଟର ୨୬ରୁ ୨୫ ଲୋକସଭା ଆସନରେ ନିଆଯାଉଛି ଭୋଟ । ସୁରତ ସିଟରେ କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ ଖାରଜ ହେବାରୁ ବିଜେପିର ମୁକେଶ ଦଲାଲ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ସେହିପରି କର୍ଣ୍ଣାଟକର ୧୪, ମହାରାଷ୍ଟ୍ରର ୧୧, ଉତ୍ତରପ୍ରଦେଶର ୧୦, ମଧ୍ୟପ୍ରଦେଶର ୮, ଛତିଶଗଡ଼ ୭, ବିହାର ୫ ଏବଂ ଆସାମ ଓ ପଶ୍ଚିମବଙ୍ଗର ୪ଟି ଲେଖାଏଁ ସିଟରେ ଭୋଟିଂ ହେଉଛି । ସେହିପରି ଗୋଆର ୨ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ନଗର ହାଭେଳି ଓ ଦାମନ ଡିଉର ୨ଟି ସିଟରେ ହେଉଛି ମତଦାନ । ଏହି ପର୍ଯ୍ୟାୟରେ ହେବାକୁ ଥିବା ଜାମ୍ମୁ ଓ କାଶ୍ମୀରର ଗୋଟିଏ ଆସନ ପାଇଁ ମତଦାନ ପରବର୍ତ୍ତୀ ପର୍ଯ୍ୟାୟକୁ ଘୁଞ୍ଚାଇ ଦିଆଯାଇଛି । ସେପଟେ ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ବାଜିରେ ଲାଗିଛି ବହୁ ହେଭିୱେଟ ନେତାଙ୍କ ଭାଗ୍ୟ ।
