ପାଣି କମୁଛି, ଦୁର୍ଦ୍ଦଶା ବଢୁଛି !

ଧୀରେଧୀରେ ସ୍ଵାଭାବିକ ହେଉଛି ଦିଲ୍ଲୀର ବନ୍ୟା ସ୍ଥିତି । ପ୍ରାୟ ପାଞ୍ଚ ଦିନ ପରେ ଏବେ କମୁଛି ଯମୁନାର ଜଳସ୍ତର । ହେଲେ ପାଣି ସିନା ଛାଡୁଛି କିନ୍ତୁ ଦୁର୍ଦ୍ଦଶା କମୁନି। ଜଳସ୍ତର କମିବା ପରେ ସେହି ସ୍ଥାନରେ ଜମି ରହିଛି କାଦୁଅ , ଏମିତିକି ଯାତାୟାତ କରିବାକୁ ବେସ କଷ୍ଟ ଅନୁଭବ କରୁଛନ୍ତି ଜଳବନ୍ଦୀ ହୋଇ ରହିଥିବା ସ୍ଥାନୀୟ ଅଧିବାସୀ । କିଛି ରାସ୍ତାରେ ଗାଡ଼ିମୋଟର ଚଳାଚଳ ଆରମ୍ଭ ହୋଇଛି । କାଶ୍ମୀର ଗେଟ ଓ ସିବିଲ ଲାଇନ୍ସରେ ବି ଟ୍ରାଫିକ ଚଳାଚଳ ସ୍ବାଭାବିକ ହୋଇଛି । ପାଣି ଛାଡ଼ିଥିଲେ ବି ରାସ୍ତାରେ କାଦୁଅ ଜମି ରହିଥିବାରୁ ଏବେ ବି କିଛି ରାସ୍ତା ବନ୍ଦ ରଖାଯାଇଛି ।

୪୦ରୁ ଅଧିକ କ୍ୟାମ୍ପରେ ଏବେ ବି ବନ୍ୟା ବିପନ୍ନମାନେ ଆଶ୍ରୟ ନେଇଛନ୍ତି । ସେମାନଙ୍କୁ ରିଲିଫ ଯୋଗାଣ ଓ ଅତ୍ୟାବଶ୍ୟକ ଯୋଗାଣ ନେଇ ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ବନ୍ୟା ସ୍ଥିତିରେ ସୁଧାର ଆସୁଥିବା ବେଳେ ଆଜି ଦିଲ୍ଲୀରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ସକାଳୁ ନୋଏଡା, ଗୁରୁଗ୍ରାମ, ଗାଜିଆବାଦରେ ଝିପିଝିପି ବର୍ଷା ଜାରି ରହିଛି । ଉତ୍ତର ଭାରତର ଅନ୍ୟ କିଛି ରାଜ୍ୟକୁ ଆଜି ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ତେବେ ପୁଣି ବର୍ଷା ହେଲେ ସ୍ଥିତି ବେହାଲ ଏଚବି ବୋଲି ଆଶାଆଶଙ୍କାରେ ଦିଲ୍ଲୀବାସୀ। ପାଣି ସିନା କମିଛି ହେଲେ ଏବେ ଦୁର୍ଦ୍ଦଶା ବଢିଛି।