ଆଖିପିଛୁଳାକେ ମାଡିଗଲା ଟ୍ରକ, ଚାଲିଗଲା ୧୧ଜୀବନ !

ସତରେ ମୃତ୍ୟୁ ଏମିତି ବି ଆସେ !

ସତରେ ମୃତ୍ୟୁ ଏମିତି ବି ଆସେ। ହଠାତ କାଳ ସାଜି ମାଡି ଆସିଲା ଟ୍ରକ ଆଉ ନେଇଗଲା ୧୧ଟି ନିରୀହ ଜୀବନ । ଛଟପଟ ହୋଇ ଆଖିଆଗରେ ୧୧ଟି ମୃତ ଶରୀର । ଯେ କେହି ବି ଚିହିଁକି ଉଠିବ । ତେବେ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ରାଜସ୍ଥାନର ଭରତପୁରରେ। ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୧ ଜଣ ଯାତ୍ରୀ ପ୍ରାଣ ହରାଇଥିବା ବେଳେ ୧୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ସମୟ ଭୋର ପ୍ରାୟ ୪ଟା ୩୦ମିନିଟ । କିଛି ଯାତ୍ରୀ ରାଜସ୍ଥାନର ପୁଷ୍କରରୁ ଉତ୍ତରପ୍ରଦେଶ ବୃନ୍ଦାବନକୁ ଏକ ବସ୍ ଯୋଗେ ଯାତ୍ରା କରୁଥିଲେ। ଅନ୍ତରା ଫ୍ଲାଏଓଭର ନିକଟରେ କୌଣସି ତ୍ରୁଟି ଯୋଗୁଁ ଅଟକି ଯାଇଥିଲା । ଡ୍ରାଇଭରଙ୍କ ସମେତ କିଛି ଯାତ୍ରୀ ଗାଡିରୁ ଓହ୍ଲାଇ ଫ୍ଲାଏଓଭର ନିକଟରେ ଛିଡା ହୋଇଥିଲେ। ଏହି ସମୟରେ ଏକ ଦ୍ରୁତଗତିରେ ଆସୁଥିବା ଟ୍ରକ୍ ସେମାନଙ୍କ ଉପରେ ମାଡି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୧୨ ଜଣ ମଧ୍ୟ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୬ ଜଣ ମହିଳା ଓ ୫ ଜଣ ପୁରୁଷ ଥିବା ପୁଲିସ କହିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି କରିଛି। ହେଲେ ଏହି ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଥିବା ବେଳେ ସଭିଙ୍କୁ ସ୍ତବ୍ଧ କରିଛି ।