ଚନ୍ଦ୍ରର ଦକ୍ଷିଣମେରୁରେ ତଥ୍ୟ ସଂଗ୍ରହ କରୁଛି ପ୍ରଜ୍ଞା

ଖାଲ ଦେଖି ରୋଭର ପ୍ରଜ୍ଞା ବଦଳାଇଲା ଗତିପଥ

ଚନ୍ଦ୍ରଯାନ-୩ର ରୋଭର ପ୍ରଜ୍ଞା ବର୍ତ୍ତମାନ ଚନ୍ଦ୍ରର ଦକ୍ଷିଣମେରୁ ଅଞ୍ଚଳରେ ବୁଲି ତଥ୍ୟ ସଂଗ୍ରହ କରୁଛି । ଏହି ଅଞ୍ଚଳ ଖାଲଖମା ଓ ଆଗ୍ନେୟଗିରି ଗର୍ତ୍ତରେ ପରିପୂର୍ଣ୍ଣ । ଏଗୁଡ଼ିକ ରୋଭର ପାଇଁ ବିପଦ । କାରଣ ରୋଭର ପରି ଛଅ ଚକାବିଶିଷ୍ଟ ଛୋଟିଆ ଯନ୍ତ୍ର ତା’ ଭିତରେ ପଡ଼ିଗଲେ ଆଉ ଉଠି କାମ କରିବା କଷ୍ଟକର । କିନ୍ତୁ ରୋଭର ଏହିପରି ଏକ ବାଧା ଅତିକ୍ରମ କରି ଇସ୍ରୋ କଣ୍ଟ୍ରୋଲ ରୁମ୍‌ରେ କାର୍ଯ୍ୟରତ ବୈଜ୍ଞାନିକମାନଙ୍କୁ ଆଶ୍ବସ୍ତି ପ୍ରଦାନ କରିଛି । ଚନ୍ଦ୍ରର ଗୋଟିଏ ଦିନ ବା ପୃଥିବୀର ୧୪ ଦିନର କାର୍ଯ୍ୟ ଅବଧି ଭିତରେ ତାକୁ ଏହିପରି ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଯେହେତୁ ପ୍ରଜ୍ଞା ଆପେ ଆପେ କିଛି କରିପାରିବ ନାହିଁ ଓ ତାହା ସମ୍ପୂର୍ଣ୍ଣରୂପେ ସ୍ବୟଂକ୍ରିୟ ନୁହେଁ ତେଣୁ ଇସ୍ରୋ ପକ୍ଷରୁ ତାକୁ ଅପରେଟ କରାଯାଉଛି । ପ୍ରତି ୫ ଘଣ୍ଟାରେ ରୋଭରର କାର୍ଯ୍ୟକଳାପ ଯାଞ୍ଚ କରାଯାଉଛି। ରୋଭର ପଏଣ୍ଟ ଏ’ରୁ ପଏଣ୍ଟ ବି’କୁ ଯିବା ଭିତରେ ଅନେକ ଷ୍ଟେପ୍ ରହିଛି। ଏହା କେଉଁ ଦିଗକୁ ଯିବ ବା ନ ଯିବ ତାହା ଏଇଠୁ ସ୍ଥିର କରାଯାଉଛି। ରୋଭରରେ ଲାଗିଥିବା ନେଭିଗେସନ କ୍ୟାମେରା ତଥ୍ୟ ଡାଉନଲୋଡ କରି ଏକ ଡିଜିଟାଲ ଏଲିଭସେନ ମଡେଲ (ଡିଇଏମ୍) ସୃଷ୍ଟି କରାଯାଉଛି । ତା’ପରେ କଣ୍ଟ୍ରୋଲ ରୁମ୍‌ର ଟିମ୍ ସ୍ଥିର କରୁଛନ୍ତି ପ୍ରଜ୍ଞା କୁଆଡ଼କୁ ଯିବ। ପ୍ରତିଥର ଏହାକୁ ୫ ମିଟର ପର୍ଯ୍ୟନ୍ତ ଯିବା ପାଇଁ ଆଦେଶ ଦିଆଯାଉଛି ।