ଦୁଇ ଦିନ ପରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ

ପ୍ରଥମ ପର୍ଯ୍ୟାୟ କେଉଁଠି କେଉଁଠି ହେବ ଭୋଟ ଗ୍ରହଣ?

ଏପ୍ରିଲ ୧୯ ତାରିଖରେ ହେବ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ । ପ୍ରଥମ ପର୍ଯ୍ୟାୟରେ ୧୦୨ ଆସନରେ ହେବାକୁ ଯାଉଛି ନିର୍ବାଚନ । ଚଳିତ ଥର ଲୋକସଭା ନିର୍ବାଚନ ୭ ଟି ପର୍ଯ୍ୟାୟରେ ହେବାକୁ ଯାଉଚି । ପ୍ରଥମ ପର୍ଯ୍ୟାୟରେ ୨୧ ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୧୦୨ ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ଆଣ୍ଡାମାନ ଓ ନିକୋବର ଦୀପ ସମୁହ, ଲକ୍ଷ୍ୟଦୀପ, ଜମ୍ମୁ-କାଶ୍ମୀର, ଛତିଶଗଡ, ମିଜୋରମ, ନାଗାଲ୍ୟାଣ୍ଡ, ପୁଡୁଚେରୀ ଓ ସିକ୍କିମରେ ଭୋଟ ଗ୍ରହଣ ହେବ । ଉପରଲିଖିତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଗୋଟିଏ ଗୋଟିଏ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଯଦି ରାଜ୍ୟ କଥା ବିଚାରକୁ ନିଆଯିବ ତେବେ ପ୍ରଥମ ପର୍ଯ୍ୟାୟରେ ବିହାରର ୪ଟି ଆସନ, ମଧ୍ୟପ୍ରଦେଶର ୬ଟି ଆସନ, ରାଜସ୍ଥାନର ୧୧ଟି ଆସନ, ଉତ୍ତରାଖଣ୍ଡର ୫ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେବ । ପଶ୍ଚିମବଙ୍ଗର ୩ ଆସନ, ତ୍ରିପୁରାର ଗୋଟିଏ ଆସନ ଓ ଉତ୍ତର ପ୍ରଦେଶର ୮ଟି ଆସନ ପାଇଁ ଭୋଟ ଗ୍ରହଣ ହେବ । ଅନ୍ୟପଟେ ତାମିଲନାଡୁର ୩୯ଟି ଆସନ ପାଇଁ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ । ଦ୍ୱିତୀୟ ପର୍ଯ୍ୟାୟ ଏପ୍ରିଲ ୨୬ ତାରିଖ, ତୃତୀୟ ପର୍ଯ୍ୟାୟ ମେ’୭ ତାରିଖ, ଚତୁର୍ଥ ପର୍ଯ୍ୟାୟ ମେ’୧୩ ତାରିଖ, ପଞ୍ଚମ ପର୍ଯ୍ୟାୟ ମେ’୨୦ ତାରିଖ, ଷଷ୍ଠ ପର୍ଯ୍ୟାୟ ମେ’ ୨୫ ତାରିଖ ଓ ଶେଷ ପର୍ଯ୍ୟାୟ ଜୁନ ପହିଲାରେ ଭୋଟ ଗ୍ରହଣ ହେବ ।