ବିନା ଅନୁମତିରେ କୋର୍ଟକୁ କେମିତି ଆସିଲା ୟାସିନ୍

ଭିସି ପାଇଁ ଥିଲା ଅନୁମତି, କିନ୍ତୁ  ସାମ୍ନାରେ ହାଜର ହେଲା କୁଖ୍ୟାତ ଆତଙ୍କବାଦୀ

କୁଖ୍ୟାତ ଆତଙ୍କବାଦୀ ତଥା ଜେକେଏଲଏଫ ମୁଖ୍ୟ ୟାସିନ ମଲ୍ଲିକକୁ ନେଇ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ଘଟଣା । ବିନା ଅନୁମତିରେ ସୁପ୍ରିମକୋର୍ଟରେ ହାଜର ହୋଇଛି ୟାସିନ୍ । ଯାହାକୁ ନେଇ ସାରା ଦେଶରେ ସୃଷ୍ଟି ହୋଇଛି ହଇଚଇ । ତାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜିର ହେବାକୁ ଅନୁମତି ଥିବାବେଳେ ସେ ବିନା ଅନୁମତିରେ ବ୍ୟକ୍ତିଗତଭାବେ ସୁପ୍ରିମକୋର୍ଟରେ ହାଜର ହୋଇଥିଲା । ଏହାକୁ ନେଇ ସୁପ୍ରିମକୋର୍ଟ ବିରକ୍ତ ହେବା ସହ ମାମଲାର ଶୁଣାଣିକୁ ୪ ସପ୍ତାହ ଘୁଞ୍ଚାଇ ଦେଇଛନ୍ତି । ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦିଲ୍ଲୀର ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜେକେଏଲଏଫ ମୁଖ୍ୟ ୟାସିନ ମଲ୍ଲିକ ବିନା ଅନୁମତିରେ ସୁପ୍ରିମକୋର୍ଟରେ ହାଜର ହୋଇଛନ୍ତି। ଏହାସହ ସୁରକ୍ଷା ବ୍ୟବସ୍ଥା କୁ ନେଇ ଅନେକ ପ୍ରଶ୍ନ ଉଠିଛି । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ଓ କେନ୍ଦ୍ର ଗୃହ ସଚିବଙ୍କୁ ପତ୍ର ଲେଖିଛନ୍ତି ।  ସେ କହିଛନ୍ତି, ୟାସିନ ମଲ୍ଲିକ ଫେରାର ହୋଇପାରିଥାନ୍ତା, ତାଙ୍କୁ ଜୋରଜବରଦସ୍ତ ଅପହରଣ କରାଯାଇଥାନ୍ତା କିମ୍ବା ହତ୍ୟା କରାଯାଇଥାନ୍ତା। ଅଦାଲତଙ୍କ ବିନା ଅନୁମତିରେ ସଶସ୍ତ୍ର ସୁରକ୍ଷାକର୍ମୀଙ୍କ ସୁରକ୍ଷାରେ ଏକ ଜେଲ୍ ଭ୍ୟାନରେ ୟାସିନ୍ ମଲ୍ଲିକକୁ ସର୍ବୋଚ୍ଚ ନ୍ୟାୟାଳୟ ପରିସରକୁ ଅଣାଯାଇଥିଲା। ସେ କୋର୍ଟ ରୁମ୍ ଭିତରକୁ ଯିବାପରେ ସେଠାରେ ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଆତଙ୍କବାଦୀ ପାଣ୍ଠି ଯୋଗାଣ ମାମଲାରେ ସେ ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛି ।