ଶ୍ରମିକଙ୍କ ଉପରକୁ ଆତଙ୍କି ହମଲା !

ପୁଣି ଆତଙ୍କବାଦୀଙ୍କ ହମଲା। ଜାମ୍ମୁ-କାଶ୍ମୀର ସୋପିଆନରେ ଦେଖିବାକୁ ମିଳିଛି ଆତଙ୍କବାଦୀଙ୍କ ହମଲା । ଏବେ କିନ୍ତୁ ପୋଲିସ କିମ୍ବା ଯବାନ ନୁହଁନ୍ତି ବରଂ ହମଲାର ଶିକାର ହୋଇଛନ୍ତି ସାଧାରଣ ଶ୍ରମିକ । ଦକ୍ଷିଣ କାଶ୍ମୀରର ଗଗରାନ ଅଞ୍ଚଳରେ ୩ ଜଣ ବିହାର ରାଜ୍ୟର ଶ୍ରମିକଙ୍କୁ ୨ ଜଣ ଆତଙ୍କବାଦୀ କରିଛନ୍ତି ଗୁଳିମାଡ଼ । ତେବେ ଏହି ଗୁଳିମାଡ଼ରେ ଶ୍ରମିକମାନେ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ଘଟଣା ପ୍ରଘଟ ହେବା ପରେ ସଙ୍ଗେ ସଙ୍ଗେ ପହଞ୍ଚିଥିଲେ ସୁରକ୍ଷାବଳ । ଏହା ପରେ ସେହି ଅଞ୍ଚଳକୁ ନାକାବନ୍ଦୀ କରାଯାଇଛି ।

ଗୁଳିମାଡ ହୋଇଥିବା ୩ ଶ୍ରମିକ ହେଲେ ଅନମୋଲ କୁମାର, ହରିଲାଲ ଯାଦବ ଓ ପିଣ୍ଟୁ କୁମାର ଠାକୁର । ଏମାନେ ସମସ୍ତେ ବିହାର ଜିଲ୍ଲା ସୁପୌଲର । ସୁରକ୍ଷା ଦୃଷ୍ଟିରୁ ପୁରା ଅଞ୍ଚଳକୁ ସିଲ୍ କରିଦିଆଯାଇଛି । ରାତି ପ୍ରାୟ ୮ଟା ୪୫ରେ ଫୁଟିଥିଲା ଗୁଳି । ଶ୍ରମିକ ରହୁଥିବା ଭଡ଼ା ଘରେ ପଶି ବିହାରର ୩ ଶ୍ରମିକଙ୍କୁ ଗୁଳି ଚଳାଇଥିଲେ । ସୁରକ୍ଷାକର୍ମୀଙ୍କ ଶିବିରରୁ ମାତ୍ର ୧୫୦ ମିଟର ଦୂରରେ ହୋଇଛି ଫାୟାରିଂ । ସମ୍ପୃକ୍ତ ଭଡ଼ା ଘରେ ପ୍ରାୟ ୨୦ଜଣ ବାହାର ରାଜ୍ୟର ଶ୍ରମିକ ରହୁଥିଲେ ।

ତେବେ ସେହି ଆତଙ୍କବାଦୀ ମାନେ କେଉଁଠୁ ଆସିଲେ ଓ କାହିଁକି ଶ୍ରମିକ ମାନଙ୍କ ଉପରକୁ ଗୁଳିମାଡ କଲେ ତାର କାରଣ ଏଯାଏଁ ମଧ୍ୟ ଅସ୍ପଷ୍ଟ। ତେବେ ହମଲା ପରେ ସେହି ସ୍ଥାନରୁ ଆତଙ୍କବଦୀ ଦୁଇ ଜଣ ଫେରାର ହୋଇଯାଇଥିବା ସୂଚନା ରହିଥିବା ବେଳେ ସେହି ସ୍ଥାନରେ ପୋଲିସ ଛାଉଣି କରାଯାଇଥିବା ଦେଖିବାକୁ ମିଳିଛି ।