ରେବନ୍ତ ରେଡ୍ଡୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ରେବନ୍ତ ହେବେ ତେଲେଙ୍ଗାନା ସିଏମ୍

ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ରେବନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ବିଧାୟକ ଦଳ ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ହୋଇଛି । ଆସନ୍ତା ଡିସେମ୍ବର ୭ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ରେବନ୍ତ । ଏତେ ସହଜ ନଥିଲା ରେବନ୍ତଙ୍କ ମୁଖ୍ୟମନ୍ତ୍ରୀ ପଦ ପାଇଁ ଯାତ୍ରା । ତେଲେଙ୍ଗାନାରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ରହିଛି ରେବନ୍ତ ରେଡ୍ଡୀଙ୍କ ମୁଖ୍ୟ ଭୂମିକା । ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଭାବରେ ରେବନ୍ତ ରେଡ୍ଡୀଙ୍କ କାର୍ୟ୍ୟଶୈଳୀ ଦଳକୁ ସୁଦୃଢ଼ କରିଛି । ୨୦୨୧ ଜୁଲାଇରେ ତେଲେଙ୍ଗାନା କଂଗ୍ରେସ ମୁଖ୍ୟ ଭାବେ ରେବନ୍ତ ଦାୟିତ୍ୱ ନେଇଥିଲେ । ଶାସକ ବିଆରଏସ ସରକାରଙ୍କ ବିରୋଧରେ ଅନେକ ପ୍ରସଙ୍ଗକୁ ଲୋକଙ୍କ ସାମ୍ନାକୁ ଆଣିଥିଲେ । ରେବନ୍ତ ରେଡ୍ଡୀ କଂଗ୍ରେସ ନେତୃତ୍ୱ ନେଇ ଯାହାବି ପଦକ୍ଷେପ ନେଉଥିଲେ ଦଳ ତା’କୁ ଦୃଢ଼ ସମର୍ଥନ ଜଣାଇ ଆସୁଥିଲା । ତେଲେଙ୍ଗାନାରେ ରେବନ୍ତ ରେଡ୍ଡୀଙ୍କ ନେତୃତ୍ୱରେ କଂଗ୍ରେସ ୧୦ ବର୍ଷର କେସିଆର ସରକାରକୁ ପରାସ୍ତ କରିଛି । ଏଠାରେ ମୋଟ ୧୧୯ ଟି ଆସନ ମଧ୍ୟରୁ କଂଗ୍ରେସକୁ ୬୪ଟି ଆସନ ମିଳିଥିବା ବେଳେ ବିଆରଏସକୁ ୩୯ ଓ ବିଜେପିକୁ ମାତ୍ର ୮ଟି ଆସନ ମିଳିଥିଲା । ଏହାସହ ଅନ୍ୟାନ୍ୟ ଦଳମାନଙ୍କୁ ମଧ୍ୟ ୮ଟି ଆସନ ମିଳିଛି ।