କମ୍ପାନୀ ଦେଲାନି ୧୮ମାସର ଦରମା, ଇଡଲି ବିକିଲେ ଟେକନିସିଆନ୍

‘ଚନ୍ଦ୍ରଯାନ-୩’ ଲଞ୍ଚପ୍ୟାଡ୍ ନିର୍ମାଣକାରୀ ବିକୁଛନ୍ତି ଇଡଲି

୧୮ମାସର ଦରମା ନମିଳିବାରୁ ‘ଚନ୍ଦ୍ରଯାନ-୩’ ଲଞ୍ଚପ୍ୟାଡ୍ ନିର୍ମାଣକାରୀ ବିକୁଛନ୍ତି ଇଡଲୀ । ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ବି ଏହା ସତ । ଇସ୍ରୋର ‘ଚନ୍ଦ୍ରଯାନ-୩’ ଲଞ୍ଚପ୍ୟାଡ୍ ନିର୍ମାଣରେ କାର୍ଯ୍ୟ କରୁଥିବା ଏଚଇସି ବା ହେଭି ଇଞ୍ଜିନିୟରିଂ କର୍ପୋରେସନ୍ ଲିମିଟେଡ୍ ର ଟେକ୍ନିସିଆନ ଦୀପକ କୁମାର ଅପରାରିଆ । ଏବେ ସେ ରାଞ୍ଚିର ଏକ ରାସ୍ତା କଡ଼ରେ ଥିବା ଷ୍ଟଲରେ ସେ ଏବେ ଇଡଲୀ ବିକ୍ରି କରୁଛନ୍ତି । ରାଞ୍ଚିର ଧୁରୱା ଅଞ୍ଚଳରେ ଥିବା ପୁରୁଣା ବିଧାନସଭା ସମ୍ମୁଖରେ ଅପରାରିଆଙ୍କର ଏକ ଦୋକାନ ଅଛି, ଯେଉଁଠି ସେ ପ୍ରତିଦିନ ଇଡଲୀ-ଚଟଣୀ ବିକ୍ରି କରୁଛନ୍ତି । ଭାରତ ସରକାରଙ୍କ କମ୍ପାନି ଏଚଇସି ‘ଚନ୍ଦ୍ରଯାନ-୩’ ପାଇଁ ଫୋଲ୍ଡିଂ ପ୍ଲାଟଫର୍ମ ଏବଂ ସ୍ଲାଇଡିଂ କବାଟ ତିଆରି କରିଥିଲା। ଏହି କାମରେ ନିୟୋଜିତ ଥିବା ଅପରାରିଆଙ୍କୁ ୧୮ମାସ ପର୍ଯ୍ୟନ୍ତ ଦରମା ନମିଳିବାରୁ ସେ ରାସ୍ତା କଡ଼ରେ ଇଡଲୀ ବିକିବାକୁ ବାଧ୍ୟ ହୋଇଥିବା କହିଛନ୍ତି । ଅଗଷ୍ଟରେ ‘ଚନ୍ଦ୍ରଯାନ-୩’ ଚନ୍ଦ୍ରର ଦକ୍ଷିଣ ମେରୁରେ ସପ୍ଟ ଲ୍ୟାଣ୍ଡିଂ କରିଥିଲା ଏବଂ ଏହା ସହିତ ଭାରତ ଏହି ସଫଳତା ହାସଲ କରିବାରେ ପ୍ରଥମ ଦେଶ ହୋଇଥିଲା। ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇବା ସହ ‘ଚନ୍ଦ୍ରଯାନ-୩’ ମିଶନର ଲଞ୍ଚପ୍ୟାଡ କର୍ମଚାରୀଙ୍କୁ ସମ୍ବୋଧିତ କରିଥିଲେ। ହେଲେ ଏବେ ରାଞ୍ଚିରେ ଥିବା ଏଚଇସିର କର୍ମଚାରୀମାନେ ସେମାନଙ୍କର ୧୮ ମାସର ବେତନ ବକେୟା ପାଇଁ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଛନ୍ତି।