ନୀତି ନିୟମ ଉଲ୍ଲଂଘନ ଅଭିଯୋଗ ଆଣିଲେ ଷ୍ଟାଲିନ୍

ରାଜ୍ୟପାଳଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଅଭିଯୋଗ

ରାଜ୍ୟପାଳଙ୍କ ବିରୋଧରେ ରାଷ୍ଟ୍ରପତିଙ୍କୁ ଅଭିଯୋଗ କଲେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍। ତାମିଲନାଡ଼ୁର ରାଜ୍ୟପାଳ ଆରଏନ୍‌ ରବିଙ୍କ ବିରୋଧରେ ସେ ଅଭିଯୋଗ ଆଣିଥିବା  ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟପାଳଙ୍କ ବିରୋଧରେ ସେ ସରକାରୀ ନୀତି, ନିୟମ ଉଲ୍ଲଂଘନର ଅଭିଯୋଗ ଆଣିଛନ୍ତି। ଏଥିସହ ରାଜ୍ୟପାଳ ପଦରୁ ଆରଏନ୍‌ ରବିଙ୍କୁ ହଟାଇବାକୁ ସେ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି। ରାଜ୍ୟର ଲୋକ, ସେମାନଙ୍କ ହିତ ଓ ସମ୍ୱିଧାନ ବିରୋଧରେ ଆରଏନ୍‌ ରବି କାମ କରିଥିବା ଷ୍ଟାଲିନ୍‌ ଅଭିଯୋଗ କରିଛନ୍ତି। ସେ ଅଭିଯୋଗ କରିଛନ୍ତି, ଗିରଫ ହୋଇଥିବା ମନ୍ତ୍ରୀ ଏସ୍ ବାଲାଜୀଙ୍କୁ ବରଖାସ୍ତ କରିବା ଓ ଏହି ନିର୍ଣ୍ଣୟର କିଛି ଘଣ୍ଟା ପରେ ଏହାକୁ ରଦ୍ଦ କରି ରାଜ୍ୟପାଳ ନିୟମ ଭାଙ୍ଗିଛନ୍ତି। ମନ୍ତ୍ରୀ ନିଯୁକ୍ତି ଓ ନିର୍ଣ୍ଣୟ ମୁଖ୍ୟମନ୍ତ୍ରୀଙ୍କ ବିଶେଷ ଅଧିକାର, ଏହା ରାଜ୍ୟପାଳଙ୍କର ନୁହେଁ।