ହରଡଘଣାରେ ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡି !

ହରଡଘଣାରେ ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡି । ମନି ଲଣ୍ଡରିଂ ମାମଲାରେ ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡିଙ୍କ ଘରେ ଚଢ଼ାଉ କରିଛି ଇଡି । ଖାଲି ଉଚ୍ଚଶିକ୍ଷା ମନ୍ତ୍ରୀ ନୁହେଁ ବରଂ ତାଙ୍କ ପୁଅ ସାଂସଦ ଗୌତମ ସିଗାମନିଙ୍କ ଘରେ ବି ଚଢ଼ାଉ କରିଛି ଇଡି । ତାଙ୍କ ଘରେ ସମେତ ଏକାଧିକ ସ୍ଥାନରେ ରେଡ୍‌ କରି ଇଡିର ଅଧିକାରୀମାନେ ନଗଦ ୬୦ ଲକ୍ଷ ଟଙ୍କା ଜବତ କରିଥିବା ସୂଚନା ରହିଛି ।ଏହା ମଧ୍ୟରେ ୧୦ ଲକ୍ଷ ଟଙ୍କାର ବିଦେଶୀ ମୁଦ୍ରା ମଧ୍ୟ ରହିଥିବା ବେଳେ ମନ୍ତ୍ରୀ ପୋନମୁଡୀଙ୍କ ବ୍ୟତୀତ ତାଙ୍କ ପୁଅ ତଥା ସାଂସଦ ଗୌତମ ସିଗାମଣିଙ୍କ ବିଭିନ୍ନ ଠିକଣାରେ ମଧ୍ୟ ଇଡି ଛାନଭିନ କରିଛି। ୨୦୦୭ରୁ ୨୦୧୧ ଯାଏ ପୋନମୁଡୀ ରାଜ୍ୟର ଖଣି ମନ୍ତ୍ରୀ ଥିଲେ। ଏହି ସମୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। ଲାଇସେନ୍ସ ପ୍ରଦାନରେ ନିୟମ ଉଲ୍ଲଙ୍ଘନ ହୋଇଥିବାରୁ ୨୮ କୋଟି ଟଙ୍କାର କ୍ଷତି ହୋଇଥିଲା। ତେଣୁ ପୋନମୁଡୀ ଓ ତାଙ୍କ ପୁଅଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି।

ତେବେ ଚେନ୍ନାଇ ଓ ଭିଲ୍ଲୁପୁରମର ବିଭିନ୍ନ ସ୍ଥାନରେ କେନ୍ଦ୍ରୀୟ ଏଜେନ୍ସିର ରେଡ୍ ଚାଲିଥିବା ବେଳେ ରାଜନୈତିକ ଆକ୍ରୋଶ ରଖି ରେଡ୍ କରାଯାଉଛି ବୋଲି କହିଛି ଡିଏମକେ । ବେଙ୍ଗାଳୁରୁରେ ବିରୋଧୀ ମହାମେଣ୍ଟ ବୈଠକ ବସୁଥିବାରୁ ବିଜେପି କେନ୍ଦ୍ରୀୟ ଏଜେନ୍ସିର ଦୁରୁପଯୋଗ କରି ରେଡ୍ ଡ୍ରାମା କରୁଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ । ତେବେ ହଠାତ କିପରି ଇଡି ଏତେ ସକ୍ରିୟ ହୋଇ ଉଠିଲା ତାକୁ ନେଇ ରାଜନୈତିକ ମହଲରେ ଚର୍ଚା ଜୋର ଧରୁଛି । ସେପଟେ ଆଗାମୀ ସମୟରେ ଉଭୟ ବାପା ଓ ପୁଅଙ୍କ ଠାରୁ ଆଉ କେଉଁ ତଥ୍ୟ ସାମନାକୁ ଆସୁଛି ଦେଖିବାକୁ ବାକି ରହିଲା ।