ଟମାଟୋ ନଖାଇ ସହାନୁଭୂତି ଦର୍ଶାଇଲେ ପଞ୍ଜାବ ରାଜ୍ୟପାଳ
ସାରା ଦେଶରେ ଟମାଟୋ ଦର ବୃଦ୍ଧି ସମସ୍ତଙ୍କୁ ବାଧୁଛି । ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ । ଟମାଟୋ ମହଙ୍ଗା ହେବାରୁ ପଞ୍ଜାବ ରାଜ୍ୟପାଳଙ୍କ ଭୋଜନ ତାଲିକାରୁ ଟମାଟୋ ବ୍ୟଞ୍ଜନ ହଟାଇ ଦିଆଯାଇଥିବା ସୂଚନା ରହିଛି । ଏନେଇ ରାଜଭବନରୁ ଜାରି ବିବୃତିରେ କୁହାଯାଇଛି । ଚଣ୍ଡୀଗଡ଼ରେ କିଲୋପିଛା ୨୦୦ ଟଙ୍କା ହୋଇ ଟମାଟୋ ଦୁର୍ମୂଲ୍ୟ ହୋଇଯାଇଛି। ତେଣୁ, ସାମୟିକ ଭାବେ ଟମାଟୋ ପରିବର୍ତ୍ତେ ବ୍ୟଞ୍ଜନ ବା ତରକାରିରେ ଅନ୍ୟ କିଛି ପକାଇବାକୁ ରାଜ୍ୟପାଳ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଏମିତି କରିବାଦ୍ବାରା ଟମାଟୋ ଦର ନିୟନ୍ତ୍ରଣରେ ରହିବ। ରାଜଭବନରୁ ଜାରି କରାଯାଇଥିବା ବିବୃତି ଅନୁସାରେ, କେନ୍ଦ୍ରଶାସିତ ଅଞ୍ଚଳ ଚଣ୍ଡୀଗଡ଼ର ମୁଖ୍ୟ ଭାବେ କାର୍ଯ୍ୟ ତୁଲାଉଥିବା ପଞ୍ଜାବର ରାଜ୍ୟପାଳ ବନୱାରିଲାଲ୍ ପୁରୋହିତ ସାମୟିକ ଭାବେ ଟମାଟୋ ନ ଖାଇବାକୁ ସ୍ଥିର କରିଛନ୍ତି। ଟମାଟୋ ତଥା ଖାଦ୍ୟ ଦର ବୃଦ୍ଧି ଯୋଗୁଁ ପ୍ରଭାବିତ ହେଉଥିବା ପଞ୍ଜାବବାସୀଙ୍କ ପ୍ରତି ସହାନୁଭୂତି ଦର୍ଶାଇ ସେ ଉପରୋକ୍ତ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟପାଳ ପୁରୋହିତ କହିଛନ୍ତି, କୌଣସି ଜିନିଷ ଖାଇବା ଛାଡ଼ି ଦେଲେ ବା କମାଇ ଦେଲେ ତା’ର ଦର ପ୍ରଭାବିତ ହେବ। ଚାହିଦା କମିଲେ ଦର ଆପଣାଛାଏଁ କମିଯିବ। ଆଶାକରେ ଜନସାଧାରଣ ଏବେ ନିଜ ନିଜ ପରିବାରରେ ଟମାଟୋର କୌଣସି ବିକଳ୍ପ ବ୍ୟବହାର କରି ଟମାଟୋ ମୂଲ୍ୟ ହ୍ରାସ କରିବାରେ ସହାୟକ ହେବେ।