ବିଶ୍ୱ ଦେଖିଲା ଶ୍ରୀରାମଲଲାଙ୍କ ‘ସୂର୍ଯ୍ୟ ତିଳକ’ର ବିରଳ ଦୃଶ୍ୟ

ବାଳକ ରାମଙ୍କ ମଥାରେ ‘ସୂର୍ଯ୍ୟ ତିଳକ’

ଶ୍ରୀରାମଲଲାଙ୍କ ମସ୍ତକରେ ‘ସୂର୍ଯ୍ୟ ତିଳକ’ର ବିରଳ ଦୃଶ୍ୟ ଦେଖିଲା ସାରା ବିଶ୍ୱ । ମସ୍ତକରେ ୪ ମିନିଟ ଯାଏଁ ପଡ଼ିଲା ସୂର୍ଯ୍ୟକିରଣ । ଗର୍ଭଗୃହରେ ବିରାଜିତ ରାମ ଲାଲାଙ୍କୁ ଲଲାଟରେ ସୂର୍ଯ୍ୟଙ୍କ କିରଣ ପକାଇ କରାଯାଇଛି ଦିବ୍ୟ ସୂର୍ଯ୍ୟ ତିଳକ । ଆସ୍ଥା, କଳ୍ପନା ଓ ବିଜ୍ଞାନର ଅଭୂତପୂର୍ବ ସମ୍ମିଶ୍ରଣ ଦେଖିବାକୁ ମିଳିଛି ଭବ୍ୟ ଶ୍ରୀରାମ ମନ୍ଦିରରେ । ଦିନ ୧୧ଟା ୫୮ ମିନିଟରୁ ମଧ୍ୟାହ୍ନ ୧୨ଟା ୩ ମିନିଟ ପର୍ୟ୍ୟନ୍ତ ସୂର୍ଯ୍ୟ ତିଳକରେ ଝଟକିଲା ରାମଲାଲାଙ୍କ ଲଲାଟ ପଟକ । ଗର୍ଭ ଗୃହରେ ଦିବ୍ୟ ରୂପରେ ଝଲସିଛନ୍ତି ପ୍ରଭୁ ଶ୍ରୀରାମ । ଶ୍ରୀବିଗ୍ରହଙ୍କ ମସ୍ତକରେ ଶୋଭିତ ହୀରା ଓ ମାଣିକ୍ୟ ଖଚିତ ସ୍ୱର୍ଣ୍ଣ ତିଳକ ସୂର୍ଯ୍ୟଙ୍କ କିରଣରେ ଉଦଭାସିତ ହେଉଛି । ପ୍ରଭୁ ରାମଲାଲାଙ୍କ ସୂର୍ଯ୍ୟ ତିଳକ ଦେଖିବାକୁ ରାମନବମୀ ଅବସରରେ ଅଯୋଧ୍ୟାରେ ହୋଇଛି ପ୍ରବଳ ଭକ୍ତଙ୍କ ଭିଡ଼ । ରାମଲାଲାଙ୍କ ମସ୍ତକରେ ସୂର୍ଯ୍ୟ ତିଳକ ଦୃଶ୍ୟମାନ ହେଲା ପରେ ଭକ୍ତ ମହଲରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି। ଅପେକ୍ଷା ଥିଲା ଆଜିର ଦିନକୁ । ସାରା ଦେଶରେ ଆଜି ରାମନବମୀ ପର୍ବ ବେଶ ଧୁମଧାମରେ ପାଳନ କରାଯାଉଛି । ରାମ ନଗରୀ ଅଯୋଧ୍ୟା ପାଇଁ ଚଳିତ ବର୍ଷ ରାମନବମୀ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ପାଲଟିଛି । ପ୍ରଥମ ଥର ପ୍ରଭୁ ରାମଙ୍କର ୫ ବର୍ଷର ବାଳକ ସ୍ୱରୂପଙ୍କ ମଥାରେ ସୂର୍ଯ୍ୟ ତିଳକ ଲାଗିଛି ।