ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ

”ଆଇନ ତିଆରି କରିପାରିବନି, ଆଇନକୁ ବ୍ୟାଖ୍ୟା କରିପାରିବ କୋର୍ଟ”

ସମଲିଙ୍ଗୀ ବିବାହକୁ ନେଇ ବଡ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାର ବୈଧୀକରଣକୁ ନେଇ ସୁପ୍ରିମ୍‌କୋର୍ଟ ସଂରକ୍ଷିତ ରଖିଥିବା ରାୟ ପ୍ରକାଶ ପାଇଛି । ସର୍ବୋଚ୍ଚ ଅଦାଲତ  ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେଇ ପାରିବେ ନାହିଁ ବୋଲି କହିଛନ୍ତି। କୋର୍ଟ ଆଇନ୍‌ ତିଆରି କରିପାରିବନି, କେବଳ ଆଇନ୍‌କୁ ବ୍ୟାଖ୍ୟା କରିପାରିବେ । ନୂତନ ଆଇନ ପ୍ରଣୟନ କରିବା ସଂସଦ ବା ବ୍ୟବସ୍ଥାପନା ସଭାର ଅଧିକାର । ତେଣୁ ଏ ସଂକ୍ରାନ୍ତୀୟ ଆଇନ ପ୍ରଣୟନ ସଂସଦର ଅଧିକାର କ୍ଷେତ୍ର ବୋଲି ପ୍ରଧାନବିଚାରପତି ଜଷ୍ଟିସ୍ ଡି ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରମାନେ ସମଲିଙ୍ଗୀଙ୍କ ଲାଗି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନେକ ଦେଶରେ ସମଲିଙ୍ଗୀ ବିବାହ ସ୍ୱୀକୃତିପ୍ରାପ୍ତ ହୋଇଥିବା ବେଳେ ଅନେକ ଦେଶରେ ଏହାକୁ ଅପରାଧ ବର୍ଗରେ ରଖାଯାଉଛି । ସମଲିଙ୍ଗୀ ସମ୍ପର୍କ ଭାରତରେ ଅପରାଧ ନୁହେଁ । ୨୦୧୮ ମସିହାରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସଂପର୍କ ଅପରାଧ ନୁହେଁ ବୋଲି ରାୟ ଦେଇଥିଲେ । ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବରେ ଗଠିତ ୫ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି ।  ଜଷ୍ଟିସ୍ ଏସ୍‌କେ କୌଲ, ଏସ୍‌ଆର୍ ଭଟ୍ଟ, ହିମା କୋହଲି ଓ ପିଏସ୍‌ ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ସମଲିଙ୍ଗୀ ବିବାହର ବୈଧୀକରଣ ମାମଲାର ୧୦ ଦିନ ଧରି ଶୁଣାଣି କରିବା ପରେ ଏହାର ରାୟ ସଂରକ୍ଷିତ ରଖିଥିଲେ। ଆବେଦନକାରୀମାନଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘଭି, ରାଜୁ ରାମଚନ୍ଦ୍ରନ, କେଭି ବିଶ୍ବନାଥନ, ଆନନ୍ଦ ଗ୍ରୋଭର ଓ ସୌରଭ କିରପାଲ ଯୁକ୍ତି ଉପସ୍ଥାପନ କରିଥିଲେ। ଏହି ସାମ୍ବିଧାନିକ ଖଣ୍ଡପୀଠ ୨୦ଟି ପିଟିସନର ଶୁଣାଣି ପରେ ମେ ମାସରେ ରାୟ ସଂରକ୍ଷିତ ରଖିଥିଲେ।