‘ସାମ୍ବିଧାନିକ ଗଣତନ୍ତ୍ରରେ ଏଭଳି ଘଟଣା ଅସହ୍ୟ’

ସରକାର ନକରିଲେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ: ସୁପ୍ରିମକୋର୍ଟ

ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରାଇ ରାସ୍ତାରେ ଚଲାଇବା ଭିଡିଓ ଭାଇରାଲ ଘଟଣା । ଏହି ଘଟଣାରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଆଜି ସର୍ବୋଚ୍ଚନ୍ୟାୟାଳୟ କହିଛନ୍ତି। ଘଟଣା ସମ୍ପର୍କରେ ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ କହିଛନ୍ତି, ସାମ୍ପ୍ରଦାୟିକ ଦଙ୍ଗା ଚାଲିଥିବା ଅଞ୍ଚଳରେ ନାରୀଙ୍କୁ ଉପଯୋଗ କରିବା ଘଟଣା ଅସହ୍ୟ । ଏ ଭିଡିଓ ଆମକୁ ଖୁବ୍‌ ବ୍ୟଥିତ କରିଛି । ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ, ଆମେ କରିବୁ। ଏବେ ଏଥିରେ ସରକାର ହସ୍ତ‌କ୍ଷେପ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସମୟ ଆସିଛି। ସାମ୍ବିଧାନିକ ଗଣତନ୍ତ୍ରରେ ଏଭଳି ଘଟଣା ଅସହ୍ୟ। ଦୁଃଶ୍ଚିନ୍ତାର କାରଣ। ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିବା ସହିତ ସେ ଅଞ୍ଚଳର ନାରୀ ସୁରକ୍ଷା ପାଇଁ କ’ଣ ସବୁ ପଦକ୍ଷେପ ନିଆଗଲା ସେ ବିଷୟରେ ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇବା ଉଚିତ ବୋଲି ମଧ୍ୟ ପ୍ରଧାନ ବିଚାରପତି କହିଛନ୍ତି ।