ଅଗଷ୍ଟ ୪ରେ ରାହୁଲଙ୍କ ଆବେଦନର ଶୁଣାଣି

୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

ମୋଦି ସରନେମ୍ ମାମଲା । ଗୁଜରାଟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ । ଗୁଜରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ କୋର୍ଟରେ ପିଟିସନ ଦାଏର କରିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆଜି ମାମଲାର ଶୁଣାଣି କରି ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୧୦ ଦିନ ମଧ୍ୟରେ ଉତ୍ତର ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନର ଶୁଣାଣି ଅଗଷ୍ଟ ୪ ତାରିଖ ଦିନ କରାଯିବ ବୋଲି ଆଜି ସୁପ୍ରିମ୍‌ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ମୋଦି ସରନେମ ମାମଲାରେ ରାହୁଲଙ୍କ ବିରୋଧରେ ଅଭିଯୋଗ ଦାଏର କରିଥିବା ବିଜେପି ନେତା ପୂର୍ଣ୍ଣେଶ ମୋଦିଙ୍କୁ କୋର୍ଟ ନୋଟିସ କରିଛନ୍ତି । ୨୦୧୯ରେ କର୍ଣ୍ଣାଟକ କୋଲରରେ ମୋଦି ସାଙ୍ଗିଆକୁ ନେଇ ରାହୁଲଙ୍କ ବୟାନ ପରେ ଆଇପିସିର ଧାରା ୪୯୯, ୫୦୦, ୫୦୪ ଅନୁସାରେ ମାମଲା ରୁଜୁ ହୋଇଥିଲା । ଗତ ମାର୍ଚ୍ଚ ୨୩ ତାରିଖରେ ମାନହାନି ମାମଲାରେ ରାହୁଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୨ ବର୍ଷ ଜେଲଦଣ୍ଡାଦେଶ ଦେଇଥିଲେ ସୁରତ ସିଜେଏମ କୋର୍ଟ । ଗୁଜରାଟ ହାଇକୋର୍ଟ ମଧ୍ୟ ତଳକୋର୍ଟଙ୍କ ରାୟ କାଏମ ରଖିଥିଲେ ।